Fri. Aug 21st, 2026

ହିଞ୍ଜିଳି ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

298 Views

ବ୍ରହ୍ମପୁର: ବୁଧବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦିନ ୧୧: ୧୦ ମିନିଟ୍‌ ସମୟରେ ଶ୍ରୀ ପଟ୍ଟନାୟକ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ ନିକଟରେ ୪ ସେଟ୍‌ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ରଗୁଡ଼ିକର ପ୍ରସ୍ତାବକ ଅଛନ୍ତି ସୁରେନ୍ଦ୍ର ପ୍ରଧାନ, ଶରତଚନ୍ଦ୍ର ପାତ୍ର, ସାରସ ସ୍ୱାଇଁ ଓ ବୈଜୟନ୍ତୀମାଳା ପଟ୍ଟନାୟକ।

ସକାଳ ୯: ୩୦ ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ନବୀନ ନିବାସରୁ ବାହାରି ହେଲିକପ୍ଟର୍‌ ଯୋଗେ ଆସି ରାୟପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ସେଠାରୁ ସେ ତାରାତାରିଣୀ ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ହେଲିକାପ୍ଟର୍‌ ଯୋଗେ ଯାତ୍ରା କରି ଛତ୍ରପୁର ଷ୍ଟାଡିୟମ୍‌ରେ ଓହ୍ଲାଇ ଥିଲେ। ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସର୍କିଟି ହାଉସ୍‌ରେ କିଛି ସମୟ ଅବସ୍ଥାନ କରିବା ପରେ ପ୍ରାର୍ଥୀପତ୍ର ଦାଖଲ କରି ପୁଣି ଭୁବନେଶ୍ୱର ଫେରି ଯାଇଥିଲେ।

By amfnews

Related Post