Fri. May 15th, 2026

ହାଲ୍‌ରେ ବଡ଼ଧରଣର ଦୁର୍ନୀତି : ଜାଲ୍‌ ଭାଉଚର୍‌ ଦେଇ କୋଟି କୋଟି ଟଙ୍କା ହଡ଼ପ, ବରିଷ୍ଠ ମ୍ୟାନେଜର୍‌ଙ୍କ ବିରୋଧରେ ମାମଲା

381 Views

କୋରାପୁଟ : ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍)ରେ ବଡ଼ଧରଣର ଦୁର୍ନୀତି ହୋଇଛି। ଜାଲ୍‌ ଭାଉଚର୍‌ ଦେଇ କୋଟିକୋଟି ଟଙ୍କା ହଡ଼ପ କରାଯାଇଛି। ଏହି ଦୁର୍ନୀତି ଘଟଣାରେ ବରିଷ୍ଠ ଫାଇନାନ୍ସ ମ୍ୟାନେଜର ଭବେନ୍ ମୈତିଙ୍କ ବିରୋଧରେ ସୁନାବେଡା ଥାନାରେ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁସାରେ, ବରିଷ୍ଠ ମ୍ୟାନେଜର ଥିବା ମୈତିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ ପୈଠ କରିବାର କ୍ଷମତା ଥିବା ବେଳେ ସେ ଗତ କିଛି ବର୍ଷ ହେବ ବିଭିନ୍ନ ସମୟରେ ଫଲସ୍ ବିଲ୍ କରି ଟଙ୍କା ହଡପ କରି ଆସୁଥିଲେ। ଠକେଇ ଘଟଣା ଅଡିଟ୍ ସମୟରେ ଜଣା ପଡିବା ପରେ ବିଲ୍ ପୈଠ ହୋଇଥିବା କାମ ଗୁଡିକର ଭାଉଚର ଓ ଅନ୍ୟାନ୍ୟ ଡକୁମେଣ୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର, ସେ କୌଣସି କାଗଜପତ୍ର ଦେଇ ପାରିନଥିଲେ। ହାଲ୍ ନିର୍ବାହୀ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ମୈତିଙ୍କୁ ଅଡିଟ୍ ଟିମ୍ ଓ ଇଂଟରନାଲ ଭିଜିଲାନ୍ସ ପକ୍ଷରୁ ଶନିବାର ବିଳମ୍ବିତ ରାତି ଯାଏ ପଚରାଉଚୁରା କରା ଯାଇଥିଲା। ରବିବାର ସମସ୍ତ ଭାଉଚର ନେଇ ଅଫିସକୁ ଯିବା ପାଇଁ ତାଙ୍କୁ କୁହା ଯାଇଥିଲେ ମଧ୍ୟ ସେ ଅଫିସକୁ ନଯାଇ ଫେରାର୍ ହୋଇଯାଇଥିଲେ। ଫଳରେ ହାଲ୍ କର୍ତ୍ତୃପକ୍ଷ ମୈତିଙ୍କ ବିରୁଦ୍ଧରେ ସୁନାବେଡା ଥାନାରେ ଏତଲା ଦେଇଛନ୍ତି

ଏହାପରେ ହାଲ୍ ଇଂଟରନାଲ ଭିଜିଲାନ୍ସ ଓ ସୁନାବେଡା ପୁଲିସ ମିଳିତ ଭାବେ ରବିବାର ମୈତି ରହୁଥିବା ଏନ୍ ଜୋନ ୪ ନମ୍ବର କ୍ୱାଟର୍ରରେ ଚଢ଼ାଉ କରିଛନ୍ତି। ଚଢାଉ ସମୟରେ ମୈତିଙ୍କ କ୍ୱାର୍ଟରରୁ ୧ ଲକ୍ଷ ୬୭ ହଜାର ୩୦୦ ଟଙ୍କାର ପୋଡି ଯାଇଥିବା ନୋଟ୍, କେତେକ ଜମିର କାଗଜପତ୍ର ଏବଂ ୧୮ଲକ୍ଷ ଟଙ୍କାର ଏକ କାର୍ ଜବତ କରାଯାଇଥିବା ସୁନାବେଡା ଏସଡିପିଓ ନିରଂଜନ ବେହେରା ସୂଚନା ଦେଇଛନ୍ତି। ସୁନାବେଡା ଥାନାରେ ଏକ ମାମଲା ନଂ-୧୫୨/୧୮ ରୁଜୁ ହୋଇଥିବା ବେଲେ ଏସଡିପିଓ ଶ୍ରୀ ବେହେରାଙ୍କ ତତ୍ତ୍ବାବଧାନରେ ସୁନାବେଡା ଥାନା ଅଧିକାରୀ ମମତା ପାଣିଗ୍ରାହୀ ଘଟଣାର ତଦନ୍ତ କରୁଛନ୍ତି।

By amfnews

Related Post