Sun. Oct 18th, 2026

ହଷ୍ଟେଲ୍‌ ଛାଡ଼ି ଯାତ୍ରା ଦେଖିବାକୁ ଗଲେ ଛାତ୍ର; ଜାଣିପାରିଲେନି କର୍ତ୍ତୃପକ୍ଷ

239 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ବଣ୍ଡାଘାଟିର ଏସ୍‌ଏସ୍‌ଡି ବାଳକ ହାଇସ୍କୁଲର ୫୦ରୁ ଊର୍ଦ୍ଧ୍ଵ ଛାତ୍ର ହଷ୍ଟେଲ ଛାଡ଼ି ପ୍ରାୟ ୨୦ କିଲୋମିଟର ଚାଲି ଚାଲି ଯାଇ ବନ୍ଧଗୁଡ଼ାରେ ଜାଗର ଯାତ୍ରା ଦେଖିଥିଲେ। ହେଲେ ଏ ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ  ଜାଣିପାରି ନ ଥିଲେ। ଆଉ ଗତକାଲି ଦିନସାରା ଅଖିଆ ଅପିଆ ରହିବା ପରେ ଚାଲି ଚାଲି ପୁଣି ହଷ୍ଟେଲ ଫେରୁଥିବା ଏହି ଛାତ୍ରମାନଙ୍କୁ ମୁଦୁଲିପଡ଼ାର କିଛି ଯୁବକ ଅଟକାଇ ଥିଲେ। ପଚରାପଚରି କରିବାରୁ ସେମାନେ ୨୧ ତାରିଖଠାରୁ ହଷ୍ଟେଲରୁ ଆସିଥିବା କହିଥିଲେ। ତା’ପରେ ଉକ୍ତ ଯୁବକମାନେ ସେମାନଙ୍କୁ ଖାଇବାକୁ ଦେଇଥିଲେ ଓ ତା’ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଖବର ଦେଇଥିଲେ। ଏଥିସହ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ପ୍ରଧାନ ଶିକ୍ଷକ ଛାତ୍ରମାନଙ୍କ ପାଖରେ ପହଞ୍ଚିଥିଲେ।

ଏନେଇ ପ୍ରଧାନଶିକ୍ଷକ କହିଛନ୍ତି, “ଜାଗର ଯାତ୍ରା ଦେଖିବାକୁ ପିଲାମାନେ ଲୁଚିକି ପଳାଇ ଯାଇଥିଲେ। ମୁଁ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବି।” ଅନ୍ୟପକ୍ଷରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଏକ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

By amfnews

Related Post