Fri. May 15th, 2026

ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ପାଇବେ ସରକାରୀ ସମ୍ମାନ

206 Views

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା କିଂବା ଘଟଣାସ୍ଥଳରେ ଡାକ୍ତରୀ ସହାୟତା ଯୋଗାଇ ଦେଇଥିବା ସାହାଯ୍ୟକାରୀ ସରକାରଙ୍କ ଠାରୁ ‘ଜୀବନ ରକ୍ଷା ପଦକ’ ପାଇବାର ସୁଯୋଗ ରହିଛି। ମଙ୍ଗଳବାର ଦିନ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଯେ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ଜାତୀୟ ପୁରସ୍କାର ଦେବା ନିମନ୍ତେ ବିଚାର କରିବାକୁ ତାଙ୍କ ମନ୍ତ୍ରାଳୟ ଦେଇଥିବା ଦେଇଥିବା ପ୍ରସ୍ତାବକୁ ଗୃହମନ୍ତ୍ରାଳୟ ଗ୍ରହଣ କରିଛି। ସଡ଼କ ଦୁର୍ଘଟଣାରେ ଶିକାର ପୀଡ଼ିତଙ୍କୁ ଦେଖଣାହାରିମାନେ ସହାୟତା କରନ୍ତୁ ଏବଂ ସାହାଯ୍ୟକାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ ମଧ୍ୟ ଆଇନ୍‌ଗତ ପ୍ରକ୍ରିୟା ଡରରେ ଲୋକେ ପୀଡ଼ିତଙ୍କୁ ଉଦ୍ଧାର କରିବାକୁ ଭୟ କରୁଛନ୍ତି। ଯଦି ‘ଗୋଲ୍‌ଡେନ୍‌ ଆଓ୍ଵାର୍‌’ ବା ଘଣ୍ଟାଏ ମଧ୍ୟରେ ଦୁର୍ଘଟନାଗ୍ରସ୍ତ ପୀଡ଼ିତଙ୍କୁ ଡାକ୍ତରଖାନା ନିଆଯାଇ ପାରନ୍ତା ତେବେ ୫୦% ଜୀବନ ରକ୍ଷା ହୋଇ ପାରନ୍ତା ବୋଲି ଲ’ କମିସନ୍‌ ରିପୋର୍ଟ କରିଛି।

୨୦୧୭ରେ ସଡ଼କ ଦୁର୍ଘଟନା ଯୋଗୁଁ ଅନ୍ୟୂନ ୧. ୪୬ ଲକ୍ଷ ଲୋକ ଜୀବନ ହରାଇଥିଲେ।ପାଣିରେ ବୁଡ଼ି ଯାଉଥିବା, ଅଗ୍ନିକାଣ୍ଡ ବା ଖଣି ଦୁର୍ଘଟଣାରୁ ପୀଡ଼ିତଙ୍କୁ ଉଦ୍ଧାର କରିଥିବା ସାଧାରଣ ନାଗରିକଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯାଇଥାଏ। ଡିୟୁଟି ସମୟ ବାଦ ଏ ଭଳି ପୀଡ଼ିତମାନଙ୍କର ଜୀବନ ରକ୍ଷା କରିଥିବା ସଶସ୍ତ୍ର ବଳ, ପୁଲିସ ବା ଅଗ୍ନିଶମ ସେବା କର୍ମଚାରୀଙ୍କୁ ମଧ୍ୟ ଏହି ପଦକ ମିଳିଥାଏ। ତିନୋଟି ବର୍ଗରେ ମିଳୁଥିବା ଏହି ପଦକ ସବୁ ହେଲା: ସର୍ବୋତ୍ତମ ଜୀବନ ରକ୍ଷା ପଦକ, ଉତ୍ତମ ଜୀବନ ରକ୍ଷା ପଦକ ଏବଂ ଜୀବନ ରକ୍ଷା ପଦକ।

By amfnews

Related Post