Sat. Aug 15th, 2026

ସ୍ୱତନ୍ତ୍ର ସୁବିଧା ବିନା ତିହାର ଜେଲ୍‌ରେ ପ୍ରଥମ ରଜନୀ କଟାଇଲେ ଚିଦମ୍ବରମ୍‌

240 Views

ନୂଆଦିଲ୍ଲୀ  : ଗୁରୁବାର ସନ୍ଧ୍ୟା ବେଳେ ତିହାର ଜେଲ୍‌କୁ ଅଣାଯାଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କୁ ଅଦାଲତ ନିର୍ଦ୍ଧାରିତ ଗୋଟାଏ ପୃଥକ୍‌ କୋଠରି ଏବଂ ପାଶ୍ଚାତ୍ୟ ଶୌଚାଳୟ ବ୍ୟତୀତ ଅନ୍ୟ କୌଣସି ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ ନାହିଁ ବୋଲି କାରାଗାର ଅଧିକାରୀମାନେ କହିଛନ୍ତି।

ଅନ୍ୟ କଏଦୀଙ୍କ ପରି ନିର୍ଦ୍ଧାରିତ ସମୟ ଯାଏଁ ସେ ମଧ୍ୟ କାରାଗାର ପାଠାଗାରକୁ ଯାଇ ପାରିବେ ଏବଂ ଟେଲିଭିଜନ୍‌ ଦେଖି ପାରିବେ। ତାଙ୍କ କୋଠରିକୁ ଖବରକାଗଜ ମଧ୍ୟ ଯିବ। ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚିଦମ୍ବରମ୍‌ଙ୍କୁ ଜେଲ୍‌ ନମ୍ବର ୭ରେ ରଖାଯାଇଥିଲା। ସେଠାରେ ସାଧାରଣତଃ ପ୍ରବର୍ତ୍ତନ ନିର୍ଦେଶାଳୟ ମାମଲାରେ ଅଭିଯୁକ୍ତମାନଙ୍କୁ ରଖାଯାଏ। ଘଟଣାଚକ୍ରରେ ଏହି ଏକା ମାମଲାରେ ଗତବର୍ଷ ତାଙ୍କ ପୁଅ କାର୍ତି ମଧ୍ୟ ଏହି କୋଠାରିରେ ୧୨ ଦିନ ରହିଥିଲେ।

୧୪ ଦିନିଆ କାରାବାସର ପ୍ରଥମ ରାତ୍ରୀରେ ସେ ଲଘୁ ରାତ୍ର ଭୋଜନ ଏବଂ ଔଷଧପତ୍ର ଖାଇଥିଲେ ବୋଲି ଜେଲ୍‌ସୂତ୍ରରୁ ଜଣାପଡ଼ିଛି। ସାଙ୍ଗରେ ସେ ତାଙ୍କର ଚଷମା ମଧ୍ୟ ନେଇଥିଲେ। ତାଙ୍କୁ ତକିଆ ଏବଂ କମ୍ବଳ ମଧ୍ୟ ଯୋଗାଇ ଦିଆଯାଇଥିଲା।

ଶୁକ୍ରବାର ସକାଳ ପ୍ରାୟ ୬ଟା ବେଳେ ଚିଦମ୍ବରମ୍‌ଙ୍କୁ ଚା ଏବଂ କାରାଗାରର ମେନୁ ଅନୁସାରେ, ପାଉଁରୁଟି, ଚୁଡ଼ାସନ୍ତୁଳା ଏବଂ ଖିଚିଡ଼ି ଦିଆଯାଇଥିଲା। ସେ ରିଜର୍ଭ ଓସ୍‌ମୋସିସ୍‌ ପ୍ଲାଣ୍ଟ୍‌ କିମ୍ବା କ୍ୟାଣ୍ଟିନ୍‌ରୁ କିଣାଯାଇଥିବା ବୋତଲ ପାଣି ପିଇପାରିବେ। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ଜେଡ୍‌+ ନିରାପତ୍ତା ପାଉଥିବା ପି ଚିଦମ୍ବରମ୍‌ ତିହାର ଜେଲ୍‌ରେ ଅନ୍ୟ କୌଣସି ସ୍ୱତନ୍ତ୍ର ସୁବିଧା ପାଇବେ ନାହିଁ।

By amfnews

Related Post