Sat. Oct 17th, 2026

ସ୍ୟାଟ୍ ଆଦେଶ କାର୍ଯ୍ୟକାରୀରେ ଅବହେଳା : ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା

373 Views

କଟକ : ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଓ କ୍ଷୁଦ୍ର ଜଳ ସେଚନ ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକଙ୍କ ବିରୋଧରେ ରାଜ୍ୟ ପ୍ରଶାସନିକ ଟ୍ରୁିବୁନାଲ(ସ୍ୟାଟ୍) ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ୫ ହଜାର ଟଙ୍କା ବଣ୍ଡ୍ ବିନିମୟର ଜାମିନ ଯୋଗ୍ୟ ପରୱନା ଉଭୟଙ୍କ ବିରୋଧରେ ଜାରି ହୋଇଛି। ଉଭୟ ଅଧିକାରୀଙ୍କୁ ଫେବ୍ରୁଆରି ୭ ତାରିଖ ଦିନ ସ୍ୟାଟରେ ହାଜର କରିବା ପାଇଁ ଏପରି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କମିସନରେଟ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୟାଟଙ୍କ ଆଦେଶ ଉଲ୍ଲଂଘନ କରି କ୍ଷୁଦ୍ର ଜଳ ସେଚନ ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କ ଦରମା ଜାନୁୟାରୀ ମାସ ଠାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୟାଟ କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ୍. ଏମ୍. ପ୍ରହରାଜ ଓ ବିଚାର ବିଭାଗୀୟ ସଦସ୍ୟ ଜି.ଆର୍. ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଯାମିନୀକାନ୍ତ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କ୍ଷୁଦ୍ର ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀ କ୍ଷୁଦ୍ର ଜଳ ସେଚନ କ୍ୟାଡରରେ ସବୁଠାରୁ ବରିଷ୍ଠ ଥିଲେ ସୁଦ୍ଧା ତାଙ୍କୁ ଓ କ୍ଷୁଦ୍ର ଜଳ ସେଚନ ବିଭାଗର ଅନ୍ୟ ଯୋଗ୍ୟ ଯନ୍ତ୍ରୀମାନଙ୍କୁ ଉପେକ୍ଷା କରି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପଦବିରେ ବୃହତ୍ତ ଓ ମଧ୍ୟମ ଜଳସେଚନ କ୍ୟାଡରର ଯନ୍ତ୍ରୀମାନଙ୍କୁ ଅବସ୍ଥାପିତ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ସ୍ୟାଟ୍ ମାମଲାର ଶୁଣାଣି କରି ଆବେଦନକାରୀ ଓ ଅନ୍ୟ ଯୋଗ୍ୟ ଯନ୍ତ୍ରୀମାନଙ୍କୁ ଯୋଗ୍ୟତା ଆଧାରରେ କ୍ଷୁଦ୍ର ଜଳ ସେଚନ ବିଭାଗରେ ପଦୋନ୍ନତି ଦେବା ସଙ୍ଗେ ସଙ୍ଗେ ଚାକିରି କ୍ଷେତ୍ରରେ ଆର୍ଥିକ ସୁବିଧା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ଆଦେଶ କାର୍ଯ୍ୟକାରୀ ସରକାର କରି ନଥିଲେ। ଏହା ପରେ ପୁଣି ଆବେଦନକାରୀ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୮, ଡିସେମ୍ବର ୧୧ରେ ସ୍ୟାଟ୍ ମାମଲାର ଶୁଣାଣି କରି ୨୦୧୯, ଜାନୁଆରି ୯ରେ ଦୁଇ ଅଧିକାରୀଙ୍କୁ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିବାରୁ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନା ସରକାର ସ୍ୟାଟଙ୍କ ଆଦେଶ କାର୍ଯ୍ୟକାରୀ କରିଥିଲେ ନା ଦୁଇ ଅଧିକାରୀ ହାଜର ହୋଇଥିଲେ।

By amfnews

Related Post