Sun. Sep 6th, 2026

ସୁନ୍ଦରଗଡ଼: ବାଟରେ ଗଛ ପକାଇ ସର୍ବଶିକ୍ଷା ଅଭିଯାନ କର୍ମଚାରୀଙ୍କ ଠାରୁ ଟଙ୍କା, ମୋବାଇଲ୍‌ ଓ ବୋଲେରୋ ଲୁଟ୍‌

346 Views

ରାଉରକେଲା, ଡିସେମ୍ବର ୦୯ : ଶନିବାର-ରବିବାର ରାତିରେ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ତାମଡ଼ା ନିକଟରେ କେତେକ ଦୁର୍ବୃତ୍ତ ଡିସିପି କର୍ମଚାରୀଙ୍କ ଠାରୁ ଲୁଟ୍‌ପାଟ କରିଛନ୍ତି।

ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଭିନ୍ନକ୍ଷମ ସଂଯୋଜକ ଅମାତ୍ୟ କୁମାର ପ୍ରଧାନ ଏବଂ ଅର୍ଥନୈତିକ ପରାମର୍ଶଦାତା ରାଜେନ୍ଦ୍ର କୁମାର ପାତ୍ର କୋଇଡ଼ାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଟେଣ୍ଡର୍‌ ଅବ୍‌ଜର୍‌ଭର୍‌ ଭାବେ ଯୋଗ ଦେଇ ଫେରୁଥିଲେ। ତାଙ୍କ ସହ ଥିଲେ କୁଆଁରମୁଣ୍ଡାର ଠିକାଦାର ବାଳକୃଷ୍ଣ ଅଗ୍ରଓ୍ଵାଲ୍‌। ଡ୍ରାଇଭର୍‌ ରାଜେଶ ରୋସନ ବେଗ୍‌ OR13F8502 ନମ୍ବରବିଶିଷ୍ଟ ବୋଲେରୋରେ ସେମାନଙ୍କୁ ନେଇ ଫେରିବା ବେଳେ ଭିଡ଼ଯୋଗୁଁ ରାସ୍ତା ଅବରୋଧ ହୋଇଥିବାରୁ ଆଉ ଆଗକୁ ଯାଇ ନ ପାରି ଅଟକିଥିଲେ। ପରେ ସେମାନେ ଗୁରୁଣ୍ଡିଆ ରାସ୍ତାବାଟେ ଫେରିବାକୁ ମନସ୍ଥ କରି ଗାଡ଼ି ଗଡ଼ାଇଥିଲେ। ରାତି ପ୍ରାୟ ୨ଟା ବେଳେ ତାମଡ଼ା ନିଟରେ ପ୍ରାୟ ୬/୭ ଯୁବକ ରାସ୍ତା ଉପରେ ଗଛପକାଇ ସେମାନଙ୍କ ପଥ ଅବରୋଧ କରିଥିଲେ। ସମସ୍ତଙ୍କ ହାତରେ ଥିଲା ବାଡ଼ି ଓ ଭୁଜାଲି।

ବୋଲେରୋରୁ ସମସ୍ତଙ୍କୁ ଓହ୍ଲାଇ ଦେବା ପରେ ଯୁବକମାନେ ସେମାନଙ୍କୁ ଠାରୁ ୮୫, ୫୦୦ ଟଙ୍କା, ୫ଟି ମୋବାଇଲ୍‌ ଫୋନ୍‌ ଓ ଏଟିଏମ୍‌ କାର୍ଡ ଛଡ଼ାଇ ନେଇଥିଲେ ଏବଂ ସେମାନଙ୍କୁ ନେଇ ପାଖରେ ଥିବା ଏକ ବଣ ମଧ୍ୟରେ ଛାଡ଼ି ଦେଇ ଆସିବା ପରେ ଘଟନାସ୍ଥଳରୁ ବୋଲେରୋଟି ନେଇ ଫେରାର ହୋଇଯାଇଥିଲେ।

ପୀଡ଼ିତମାନେ ରାତି ତମାମ ବଣରେ ରହି ଭୋର୍‌ ୫ଟା ବେଳକୁ ଗୁରୁଣ୍ଡିଆ ଥାନାକୁ ଆସି ଏତଲା ଦେବା ପରେ ପୁଲିସ ଘଟନାର ତଦନ୍ତ ଆରମ୍ଭ କରିଛି।

By amfnews

Related Post