Mon. Oct 5th, 2026

ସିବିଆଇ ସମନକୁ ଆଇପିଏସ ରାଜୀବ କୁମାରଙ୍କ ବେଖାତିର

277 Views

ନୂଆଦିଲ୍ଲୀ: କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ଆଇପିଏସ୍‌ ରାଜୀବ କୁମାର ପୁଣିଥରେ ସିବିଆଇ ସମନକୁ ବେଖାତିର କରିଛନ୍ତି। ଶାରଦା ଚିଟ୍‌ଫଣ୍ଡରେ ସିବିଆଇ ତାଙ୍କୁ ଆଜି ୧୦ ଟା ସୁଦ୍ଧା ହାଜର ହେବାକୁ କହିଥିଲା। ହେଲେ ସେ ସିବିଆଇ ନିକଟରେ ହାଜର ହୋଇନାହାନ୍ତି।

ଏହାପରେ ସିବିଆଇ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱନା ଜାରି କରିବାକୁ କୋର୍ଟଙ୍କୁ ନିବେଦନ କରିଛି। ହେଲେ ରିପୋର୍ଟ ଲେଖାହେବା ଯାଏ କୋର୍ଟ ଏ ସମ୍ପର୍କରେ କୌଣସି ରାୟ ଦେଇନାହାନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ରାଜୀବ କୁମାର ଶାରଦା ଚିଟ୍‌ଫଣ୍ଡ ପାଇଁ ଗଠନ ହୋଇଥିବା ଏସ୍‌ଆଇଟିର ମୁଖ୍ୟଥିଲେ। ଏହି ସମୟରେ ସେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଜେରା କରିବାକୁ ସିବିଆଇ ତାଙ୍କୁ ନୋଟିସ୍‌ କରିଥିଲା। ସିବିଆଇ ଜେରାରୁ ବର୍ତ୍ତିବା ପାଇଁ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦେଇ ନଥିଲେ। ବରଂ ସିବିଆଇ ତାଙ୍କୁ ଚାହିଁଲେ ଗିରଫ ମଧ୍ୟ କରିପାରିବ ବୋଲି କୋର୍ଟ ରୁଲିଂ ଦେଇଥିଲେ।

ଏହାପରେ ସିବିଆଇ ତାଙ୍କୁ ସମନ କରିଥିଲା। ହେଲେ ସେ କୌଣସି ପ୍ରକାରରେ ସିବିଆଇ ନିକଟରେ ହାଜର ହୋଇ ନାହାନ୍ତି। ଅନ୍ୟପକ୍ଷରେ ରାଜୀବ କୁମାର ସିବିଆଇ କୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଆଜି ଏହାର ଶୁଣାଣି ମଧ୍ୟ ହେବାର ଅଛି।

By amfnews

Related Post