Wed. Sep 23rd, 2026

ସିବିଆଇ ଫାଶରେ ଆର୍‌ପିଏଫ୍‌ ଇନ୍‌ସ୍‌ପେକ୍ଟର ଓ ୨ କନେଷ୍ଟବଳ, ଟଙ୍କା ନେଉଥିବାବେଳେ ଧରାପଡ଼ିଥିଲେ

266 Views

ବାରିପଦା : ରେଳବାଇ ଜାଗାରେ ଥିବା ହୋଟେଲ ଉଚ୍ଛେଦ କରିବ‌ାକୁ ଧମକ ଚମକ ଦେଇ ଲାଞ୍ଚ ମାଗୁଥିବା ଅଭିଯୋଗରେ ସିବିଆଇ ଫାଶରେ ପଡ଼ିଛନ୍ତି ବାରିପଦା ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ବିଭାଗର ଜଣେ ଇନ୍‌ସ୍‌ପେକ୍ଟର ଓ ୨ଜଣ କନେଷ୍ଟବଳ। ଏହି ଅସାଧୁ କର୍ମଚାରୀମାନେ ପୂର୍ବରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବାବେଳେ ପୁଣିଥିରେ ଲାଞ୍ଚ ନେଉଥିଲେ।

ଅଭିଯୋଗ ଅନୁଯାୟୀ, ଜୟନ୍ତ କୁମାର ମହାନ୍ତି ନାମକ ବ୍ୟକ୍ତି ରେଳବାଇ ଜାଗାରେ ଏକ ହୋଟେଲ କରିଥିଲେ। ତେବେ ବରିପଦା ଆରପିଏଫ୍‌ ଇନ୍‌ସ୍‌ପେକ୍ଟର ଅମିତ କୁମାର, କନେଷ୍ଟବଳ ପ୍ରମୋଦ ମାରାଣ୍ଡି ଓ ବାଘରାୟ ମୁର୍ମୁ ଜୟନ୍ତଙ୍କୁ ଦୀର୍ଘଦିନ ଧରି ଏହି ହୋଟେଲ ଉଚ୍ଛେଦ କରିବାକୁ ଧମକ ଚମକ ଦେଉଥିଲେ ଏବଂ ଟଙ୍କା ହଡ଼ପ କରୁଥିଲେ। ବିଭିନ୍ନ ସମୟରେ ସେମାନେ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ନେଇଥିଲେ। ତେବେ ଶେଷରେ ଅତିଷ୍ଠ ହୋଇ ହୋଟେଲ ମାଲିକ ଜଣଙ୍କ ଗତକାଲି ଭୁବନେଶ୍ବରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ, ଆଜି ଜୟନ୍ତଙ୍କ ନିକଟରୁ କନେଷ୍ଟବଳ ପ୍ରମୋଦ ୮ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ଆରପିଏଫ୍‌ କାର୍ଯ୍ୟାଳୟରେ ସିବିଆଇ ଚଢ଼ଉ କରିଥିଲା। ଇନିସ୍‌ପେକ୍ଟର ଅମିତ କୁମାରଙ୍କ ପ୍ରରୋଚନାରେ ସେ ଟଙ୍କା ନେଉଥିବା କହିଥିଲେ। ଏଥିରେ କନେଷ୍ଟବଳ ବାଘରାୟ ମୁର୍ମୁ ମଧ୍ୟ ସମ୍ପୃକ୍ତ ଥିଲେ ବି ସେ ଚଢ଼ଉ ଆଗରୁ ଡ୍ୟୁଟି ସାରି ଚାଲିଯାଇଥିଲେ। ଖବର ଲେଖାହେବା ସୁଦ୍ଧା ଚଢ଼ଉ ଜାରି ରହିଛି। ସିବିଆଇ ଅମିତ କୁମାର ଓ ପ୍ରମୋଦଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୁଇଜଣ ଡିଏସ୍‌ପିଙ୍କ ନେତୃତ୍ବରେ ଭୁବନେଶ୍ବରରୁ ଆସିଥିବା ୨୦ ଜଣିଆ ଟିମ୍‌ ଏହି ଚଢ଼ଉରେ ସାମିଲ୍‌ ହୋଇଥିଲେ।

By amfnews

Related Post