Sat. Aug 29th, 2026

ସିବିଆଇ କରିବ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ

281 Views

ନୂଆଦିଲ୍ଲୀ, ଅଗଷ୍ଟ ୦୫ : ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବ ସିବିଆଇ । ବିହାର ସରକାରଙ୍କ ପକ୍ଷରୁ ଏ ନେଇ ମଙ୍ଗଳବାର ଦିନ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ ପଠାଯାଇଥିଲା । ବର୍ତ୍ତମାନ ବିହାର ସରକାରଙ୍କ ଏହି ସୁପାରିଶକୁ କେନ୍ଦ୍ରସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏ ନେଇ କହିଛନ୍ତି ଯେ ସେମାନେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ବର୍ତ୍ତମାନ ସିବିଆଇ ଏହି ମାମଲାର ତଦନ୍ତ କରିବ । ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ଏହି ମାମଲାର ଯାଞ୍ଚ ସିବିଆଇକୁ ଦିଆଯାଉ ବୋଲି ଲୋକଙ୍କ ପକ୍ଷରୁ ଦାବି କରାଯାଇ ଆସୁଥିଲା ।

ଅନ୍ୟପକ୍ଷରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ସୁଶାନ୍ତ ସିଂ ରାଜପୁତ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ସୁପ୍ରିମକୋର୍ଟର ଜଷ୍ଟିସ ଋଷିକେଶ ରାୟଙ୍କ ଏକକ ବେଞ୍ଚରେ 11 ନମ୍ବରରେ ତାଲିକାଭୁକ୍ତ ହୋଇଛି।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ବିହାରର ରାଜୀବ ନଗର ପୋଲିସ ଷ୍ଟେସନରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ସେ ନିଜ ଅଭିଯୋଗ ପତ୍ରରେ ରିୟାଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହା ପରେ ରିୟା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ବିହାରରେ ଦାଖଲ ହୋଇଥିବା ଏହି ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ରିୟା ଦାବି କରିଥିଲେ।

By amfnews

Related Post