Fri. Jun 12th, 2026

ସିଏଏ-ଏନଆରସି ପାଇଁ ସର୍ଭେ କରୁଥିବା ସନ୍ଦେହରେ ଦୁଇ ମହିଳାଙ୍କୁ ଆକ୍ରମଣ

231 Views

କୋଟା/ସୁରି: ବିବାଦୀୟ ସିଏଏ ଓ ଏନଆରସି ପାଇଁ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ଦୁଇ ଜଣ ମହିଳା ଆକ୍ରମଣର ଶିକାର ହୋଇଛନ୍ତି। ଏପରି କି ପଶ୍ଚିମବଙ୍ଗରେ ଉତ୍ତ୍ୟକ୍ତ ଲୋକମାନେ ମହିଳାଙ୍କ ଘରକୁ ମଧ୍ୟ ପୋଡ଼ି ଦେଇଛନ୍ତି। ବାସ୍ତବରେ ସେମାନେ କୌଣସି ପ୍ରକାରର ସିଏଏ ଓ ଏନଆରସି ପାଇଁ ତଥ୍ୟ ସଂଗ୍ରହ କରୁ ନଥିବା ଜଣାପଡ଼ିଛି।

ରାଜସ୍ଥାନର କୋଟାରେ ନ୍ୟାଶନାଲ ଇକୋନୋମିକ ସେନସ୍ସ ବିଭାଗର ମହିଳା କର୍ମଚାରୀ ୨୦୧୯-୨୦ ନ୍ୟାଶନାଲ ଇକୋନୋମିକ ସେନସ୍ସ ପାଇଁ ବିରଜଧାମ ଅଞ୍ଚଳରେ ଲୋକଙ୍କ ତଥ୍ୟ ସଂଗ୍ରହ କରୁଥିଲେ। ଏହି ସମୟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ମହିଳା ଜଣଙ୍କ ନିଜର ନାଁ ନଜୀରାନ ବାଡ଼ୋ କହିବା ଓ ସେ ବି ଜଣେ ମୁସଲିମ ବୋଲି ପରିଚୟ ଦେଇଥିଲେ। ଏହାପରେ ଲୋକମାନେ ତାଙ୍କୁ ଛାଡ଼ି ଦେଇଥିଲେ। ପୁଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଲୋକମାନେ ଆକ୍ରମଣ ସମୟରେ ମହିଳାଙ୍କ ମୋବାଇଲ ଛଡ଼ାଇ ନେବା ସହ ସେ ଗୋଟିଏ ଆପ ଜରିଆରେ ଇକୋନୋମିକ ସେନସ୍ସ ପାଇଁ ସଂଗ୍ରହ କରିଥିବା ତଥ୍ୟକୁ ଡିଲେଟ କରିଦେଇଛନ୍ତି।

ସେହିପରି ପଶ୍ଚିମବଙ୍ଗରେ ୨୦ ବର୍ଷୀୟ ଚୁମକି ଖାତୁନ ମଧ୍ୟ ବିରବୁହମ ଅଞ୍ଚଳରେ ଆକ୍ରମଣର ଶିକାର ହୋଇଛନ୍ତି। ସେ ଗୁଗଲ ଇଣ୍ଡିଆ ଓ ଟାଟା ଟ୍ରଷ୍ଟର ଡିଜିଟାଲ ସାକ୍ଷରତା ସର୍ଭେ କରୁଥିଲେ। ହେଲେ ଲୋକମାନେ ସେ ଏନଆରସି ଓ ସିଏଏ ପାଇଁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହ କରି ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।

ଗୌରବଜାର ଠାରେ ଚୁମକିଙ୍କର ଘର ଥିଲା। ଏଠାରେ କିଛି ଲୋକ ପହଞ୍ଚି କିରାସିନ ଢାଳି ନିଆଁ ଲଗାଇ ଦେଇଛନ୍ତି। ସେ ଏନଆରସି ପାଇଁ ତଥ୍ୟ ସଂଗ୍ରହ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

By amfnews

Related Post