Sun. Sep 27th, 2026

ସାହସୀ ଭଉଣୀ ପୂର୍ଣ୍ଣିମା ଓ ସବିତାଙ୍କ ଗାଁରେ ହେବ ବାତ୍ୟା ଆଶ୍ରୟ ସ୍ଥଳୀ

196 Views

ଭୁବନେଶ୍ୱର :  ରାଷ୍ଟ୍ରପତିଙ୍କଠାରୁ ସାହସିକତା ପୁରସ୍କାର ପାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କ ଗାଁ ସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ଘୋଷଣା  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ସେମାନେ ପଢୁଥିବା ହାଇସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ୧ କୋଟି ୨୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ଏହି ୨ ସାହସୀ ଭଉଣୀ।

ସାଧାରଣ ସମୟରେ ଏହା ସ୍କୁଲ ଘର ଭାବେ ବ୍ୟବହାର ହେବ। ହେଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିନିମନ୍ତେ  କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରିବାକୁ କୁହାଯାଇଛି । ପୂର୍ଣ୍ଣିମା ଓ ସବିତା ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିବାକୁ ସ୍ଥିର ହୋଇଛି।

ସୂଚନାଯୋଗ୍ୟ, ୨୦୧୯ ଜାନୁଆରୀ ୨ ତାରିଖରେ କେନ୍ଦ୍ରାପଡ଼ା ହୁକିଟୋଲା ଦୀପରୁ ପିକ୍‌ନିକ ସାରି ଡଙ୍ଗାରେ ଫେରିବା ବେଳେ ଘଟିଥିଲା ଅଘଟଣ। ମହାକାଳପଡ଼ା ନିପାଣିଆଠାରେ ସନ୍ଧ୍ୟା ବେଳେ ଡଙ୍ଗା ବୁଡ଼ି ଗଲା। ଡଙ୍ଗାରେ ଥିବା ୫୫ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଅକାଳରେ ପ୍ରାଣ ହରାଇଲେ। ତେବେ ସେହି ନିପାଣିଆ ଗାଁର ଦୁଇ ସାହସୀ ଭଉଣୀ ପୂର୍ଣ୍ଣିମା ଓ ସବିତା ଶୀତୁଆ ରାତିରେ ଜୁଆରିଆ ନଈ ଏବଂ କୁମ୍ଭୀରକୁ ଖାତିର ନକରି ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୧୨ ଜଣଙ୍କୁ  ଏଥିନିମନ୍ତେ ଏହି ୨ ଭଉଣୀଙ୍କୁ ଜାତୀୟ ସାହସିକତା ସମ୍ମାନରେ ସମ୍ମାନିତ କରାଯାଇଛି।

By amfnews

Related Post