Sat. Oct 17th, 2026

ସାଙ୍ଗମାନଙ୍କ ସହ କେନାଲକୁ ଗାଧେଇବାକୁ ଯାଇଥିଲେ କଲେଜ ଛାତ୍ର, ପାଣିରେ ବୁଡ଼ିବାରୁ ମୃତ୍ୟୁ

293 Views

ସମ୍ବଲପୁର : ସାଙ୍ଗମାନଙ୍କ ସହିତ କେନାଲକୁ ଗାଧେଇବାକୁ ଯାଇଥିବା କଲେଜ ଛାତ୍ର ପାଣିରେ ବୁଡ଼ିବାରୁ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସମ୍ବଲପୁର ଟାଉନ୍‌ଥାନା ଅନ୍ତର୍ଗତ ସାକ୍ଷୀପଡ଼ା ନିକଟ ଫରେଷ୍ଟ କଲେନୀ ନିବାସୀ ସୁଦାମା ମାଝୀ (୧୯) ଶାସନ କେନାଲରେ ଶୁକ୍ରବାର ପୂର୍ବାହ୍ନରେ ଗାଧୋଉଥିବା ବେଳେ ଭାସିଯାଇଥିଲେ। ସୁଦାମା ନିଖୋଜ ହେବା ପରେ ସାଙ୍ଗମାନେ ବହୁ ଖୋଜାଖୋଜି କରି ମଧ୍ୟ ପାଇ ନଥଲେ। ମାତ୍ର ଘଟଣାସ୍ଥଳରୁ କିଛି ଦୂରରେ ଜଣେ ଯୁବକ ଭାସୁଥିବା ଦେଖିବାକୁ ପାଇଥିଲେ କେନାଲ ରାସ୍ତା ଦେଇ ଯାଉଥିବା ଜଣେ ବାଇକ ଆରୋହୀ। ତା’ ପରେ ସେ ସ୍ଥାନୀୟ ଲୋକଙ୍କୁ ଏବାବଦରେ ସୂଚନା ଦେବା ପରେ ସୁଦାମା ପାଣିରୁ ଉଦ୍ଧାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁଦାମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ସୁଦାମା ଗଙ୍ଗାଧର ମେହେର ଜୁନିଅର କଲେଜରେ ୨ୟ ବର୍ଷ କଳା ଛାତ୍ର ଥିଲେ। ସେ ବୁଧବାର ଶାସନ ଥାନା ଅନ୍ତର୍ଗତ ଭିଖମପୁର ନିଜ ମାମୁଁ ଘରକୁ ବଏଲ (ବଳି) ଯାତ୍ରା ଦେଖିବାକୁ ଯାଇଥିଲେ। ଆଜି ସାଙ୍ଗମାନଙ୍କ ସହିତ କୋନାଲରେ ଗାଧୋଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

By amfnews

Related Post