Sat. May 16th, 2026

ସହରାଞ୍ଚଳର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବାକୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଲେ ମୁଖ୍ୟମନ୍ତ୍ରୀ

233 Views

ଭୁବନେଶ୍ବର: କରୋନାର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ତାହା ଅନୁଯାୟୀ ରାଜ୍ୟର୧୧୪ଟି ସହରାଞ୍ଚଳର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବାକୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଛି। ଏହା ଦ୍ବାରା ରାଜ୍ୟର୧୧୪ଟି ସହରାଞ୍ଚଳର ଶ୍ରମିକ, ଗରିବ ଓ ଦିନ ମଜୁରିଆଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ। ଏଥିରେ ସାଢେ ୪ ଲକ୍ଷ ପରିବାର ଉପକୃତ ହେବେ ବୋଲି ଜଣାଯାଇଛି। ଅର୍ବାନ ଓ୍ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ ନାଁରେ ଏହି କାର୍ଯ୍ୟକ୍ରମ କରାଯାଉଛି।

ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନା ଦ୍ୱାରା ସହରାଞ୍ଚଳରେ ଅନେକ ଶ୍ରମଭିତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିରେ ଡ୍ରେନ ଗୁଡ଼ିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ , ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନ ଗୁଡିକର ଉନ୍ନତୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ଅନ୍ୟାନ୍ୟ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏଥିରେ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କୁ ରୋଜଗାର ଦେବା ଲାଗି ବି ସୁଯୋଗ ସୃଷ୍ଟି କରାଯିବ।

ବଡ଼ କଥା ହେଉଛି ଏହି ସମସ୍ତ କାମ ସମୟରେ ମଧ୍ୟ ସାମାଜିକ ଦୂରତ୍ୱ ଏବଂ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିର୍ଦେଶାବଳୀକୁ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯିବ ।

ଏହି କାର୍ଯ୍ୟକ୍ରମ ଏପ୍ରିଲରୁ ଆରମ୍ଭ ହୋଇ ସେପ୍ଟେମ୍ୱର ମାସ ଯାଏଁ ଚାଲିବ । ମିଶନ ଶକ୍ତିର ସହାୟତା ଓ ସହଭାଗିତାରେ ଏହି  କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ । ପ୍ରତି ସପ୍ତାହରେ ହିତାଧିକାରୀଙ୍କ ମଜୁରି ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଯିବ ବୋଲି ଜଣାଯାଇଛି । ଏହି କାର୍ଯ୍ୟକ୍ରମ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

By amfnews

Related Post