Thu. Jun 11th, 2026

ସମାଲୋଚନା ପରେ ଗୃହବନ୍ଦୀ ହେଲେ ଶ୍ରୀନଗର ମେୟର

287 Views

ଶ୍ରୀନଗର : ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀକୁ ସେ ଚିକିତ୍ସା ପାଇଁ ଆସିଥିବା ବେଳେ ଗୃହବନ୍ଦୀ ହୋଇଛନ୍ତି।

ସୋମବାର କିଛି ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ବାବଦରେ ନିଜର ମନ୍ତବ୍ୟ ଦେଇଥିଲେ ଜୁନେଦ୍ ଅଜିମ୍ ମଟ୍ଟୁ। ତାଙ୍କ ଦଳ ଜମ୍ମୁ କଶ୍ମୀର ପିପୁଲସ କନଫରେନସ୍ (ଜେକେପିସି)ର ମୁଖ୍ୟ ସଜଦ ଗନ୍ନୀ ଲୋନ୍ ଓ ଅନ୍ୟାନ୍ୟ ଦଳର ନେତାଙ୍କୁ ଗିରଫ କରାଯିବାକୁ ସେ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏବେ ସରକାର କହୁଛନ୍ତି ସ୍ଥିତି ସ୍ୱାଭାବିକ, ହେଲେ ଏବେ ବି ଅନେକ ପରିବାର ରହିଛନ୍ତି ଯେଉଁମାନେ କି ତାଙ୍କ ପ୍ରିୟଜନଙ୍କ ସହିତ କଥା ହୋଇ ପାରୁନାହାନ୍ତି।

ଏମିତିକି କଶ୍ମୀରବାସୀ ନିଜ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି ବୋଲି ସେ କହିଥିଲେ। ଜମ୍ମୁ କଶ୍ମୀରରେ କୌଣସି ହିଂସା କିମ୍ୱା କେହି ମୃତାହତ ହୋଇନଥିବାର ଅର୍ଥ ସବୁ ଠିକଠାକ୍ ଅଛି ଭାବିବା ଠିକ୍ ହେବନି କହି ଶ୍ରୀନଗର ମେୟର ଅନେକ କିଛି ଘଟଣାକୁ ଇଙ୍ଗିତ କରିଥିଲେ। ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହୋଇଥିବା ବେଳେ ଏବେ ସ୍ଥିତି ସ୍ୱାଭାବିକ ରହିଛି। ରାତି ପାହିଲେ କେନ୍ଦ୍ରର କାଶ୍ମୀର କାର୍ଯ୍ୟାନୁଷ୍ଠାନକୁ ମାସେ ପୂରିବ।

By amfnews

Related Post