Fri. Jul 3rd, 2026

ସତ ମାନିଲା ପାକ୍‌, କଶ୍ମୀର ପ୍ରସଙ୍ଗରେ କେହି ବି ସମର୍ଥନ କଲେନି

257 Views

ଇସ୍‌ଲାମାବାଦ  : ଶେଷରେ ସତ ମାନିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଇମ୍ରାନ୍‌ ଖାନ୍‌ ସରକାର ନିଜର ପରାଜୟ ସ୍ୱୀକାର କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି ଅନ୍ତର୍ଜାତୀୟ ସମୂହ ସମର୍ଥନ କରି ନଥିବା ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦ ଶାହ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା, ସେଥିରେ କୌଣସି ବି ଅନ୍ତର୍ଜାତୀୟ ରାଷ୍ଟ୍ର ଏକମତ ହୋଇପାରି ନାହାନ୍ତି। ବିଶ୍ୱ ଦରବାରେ ଏଥିପାଇଁ ପାକିସ୍ତାନର ଭାବମୂର୍ତ୍ତି ଖରାପ ହୋଇଛି। ଏହା ପଛରେ ଇମ୍ରାନ୍‌ ଖାନ୍‌ ଓ ବିଭିନ୍ନ ସମୟରେ ଶାସନ ଗାଦିରେ ଥିବା ବ୍ୟକ୍ତିବିଶେଷ ଦାୟୀ।

ଅନ୍ତର୍ଜାତୀୟ ସମୂହ ଆମକୁ ବିଶ୍ୱାସକୁ ନେଇ ନାହାନ୍ତି। ଆମେ କହିଲୁ ଭାରତ କର୍ଫ୍ୟୁ ଜାରି କରି କଶ୍ମୀର ଲୋକଙ୍କୁ ମେଡିସିନ୍‌ ଦେଉନାହାନ୍ତି। ଏହା ସତ୍ତ୍ୱେ ସେମାନେ ଆମକୁ ବିଶ୍ୱାସ ନ କରି ଭାରତକୁ ଅଧିକ ବିଶ୍ୱାସ କଲେ। ଦେଶକୁ ଶାସନ କରୁଥିବା ଲୋକମାନେ ପାକିସ୍ତାନକୁ ଧ୍ୱଂସ କରିଦେଇଛନ୍ତି।

ଏବେ ଲୋକେ ଭାବୁଛନ୍ତି ଆମ ଦେଶ ଆଦୌ ସିରିୟସ ନୁହେଁ। ଆମେ ପାକିସ୍ତାନର ଭାବମୂର୍ତ୍ତି ଖରାପ ହେବା ପଛରେ ଇମ୍ରାନ୍‌ ଖାନଙ୍କୁ ଦାୟୀ କରିପାରିବା ନାହିଁ। ପାକିସ୍ତାନକୁ ବିଶ୍ୱ ଦରବାରରେ ଲୋକହସା କରିବା ପଛରେ ପରଭେଜ ମୁଶାରଫ, ଭେନଞ୍ଜାରୀ ଭୁଟ୍ଟୋ ଓ ଅନ୍ୟ ଶାସକ ମାନଙ୍କର ମଧ୍ୟ ଭୂମିକା ରହିଛି। ଏବେ ପାକିସ୍ତାନ କଥା କେହି ବି ଗୁରୁତ୍ୱର ସହ ନେଉନାହାନ୍ତି।”

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ସରକାର ଭାରତ ବିରୋଧରେ ଗୋଟି ଚାଳନା କରିଛନ୍ତି। ଏପରି କି ଭାରତକୁ ଯୁଦ୍ଧ ଧମକ ମଧ୍ୟ ଦେଇଛନ୍ତି। ହେଲେ କୌଣସି ଗୋଟିଏ ହେଲେ ବି ରାଷ୍ଟ୍ର ଖୋଲାଖୋଲି ଭାବେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରିନାହାନ୍ତି।

ଗତକାଲି ଜାତିସଂଘ ମଧ୍ୟ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରୋକଠୋକ ମନା କରିଦେଇଛି। ଏହାପୂର୍ବରୁ ପାକିସ୍ତାନ ସରକାର ଅବୁଧାବି କ୍ରାଉନ ପ୍ରିନ୍ସ, ସାଉଦି ଆରବର କ୍ରାଉନପ୍ରିନ୍ସ, ଫ୍ରାନ୍ସର ରାଷ୍ଟ୍ରପତି, ଜୋର୍ଡାନ ରାଜା ଅବଦୁଲ୍ଲା-୨ଙ୍କୁ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଥିଲେ। ହେଲେ କେହି ବି ଏଥିରେ ହସ୍ତକ୍ଷେପ କରି ନଥିଲେ। ବରଂ ସମସ୍ତେ କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଥିଲେ।

By amfnews

Related Post