Sat. Aug 22nd, 2026

ସଂରକ୍ଷିତ ବଣରେ ବାଘୁଣୀ ଉପରେ ଟ୍ରାକ୍ଟର୍‌ ଚଢ଼ାଇ, ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

226 Views

ଶାହାଜାହାନପୁର, ନଭେମ୍ବର,୫: ରବିବାର ସଞ୍ଜବେଳେ ଉତ୍ତରପ୍ରଦେଶର ଦୁଧ୍‌ଓ୍ଵା ବ୍ୟାଘ୍ର ସଂରକ୍ଷଣ ବନ ଗହନକୁ ପଶି, ବନରକ୍ଷୀଙ୍କୁ ପିଟି ସେମାନଙ୍କ ଟ୍ରାକ୍ଟର୍‌ ଛଡ଼ାଇ ନେଇ ଗୋଟିଏ ପ୍ରାପ୍ତ ବୟସ୍କା ବାଘୁଣୀ ଉପରେ ଚଢ଼ାଇ ଦେଇଛନ୍ତି। ରବିବାର ପ୍ରତ୍ୟୁଷରେ ସେ ବାଘୁଣୀଟି ଜଣେ ବାସିନ୍ଦାଙ୍କୁ ଖଣ୍ଡିଆଖାବରା କରି ପକାଇଥିଲା।

ପରେ ଲୋକେ ବାଡ଼ିରେ ପିଟି ପିଟି ସେ ବାଘୁଣୀକୁ ମାରି ପକାଇଲେ। ଆହତ ଲୋକଟିର ମଧ୍ୟ ମୃତ୍ୟୁ ଘଟିଥିଲା।

ବନ ଅଧିକାରୀମାନଙ୍କ କହିବା ଅନୁସାରେ, ଆକ୍ରମଣକାରୀମାନେ ହେଉଛନ୍ତି ଦୁଧ୍‌ଓ୍ଵା ବ୍ୟାଘ୍ର ସଂରକ୍ଷଣର ମଧ୍ୟସ୍ଥଳରେ ଅବସ୍ଥିତ ଚଲ୍‌ତୁଆ ଗ୍ରାମବାସୀ। ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଇବାକୁ ବନ ବିଭାଗ ଦେଇଥିବା ପ୍ରସ୍ତାବକୁ ଅତୀତରେ ଏଇ ଗ୍ରାମବାସୀମାନେ ଟାଳି ଦେଇଥିଲେ। ଏହାର କାରଣ ସେମାନେ ମୁଖ୍ୟତଃ ବନଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ।

ଅଧିକାରୀମାନେ କହିଛନ୍ତି ଯେ ୧୦ ବର୍ଷରୁ ଅଧିକ ବୟସ୍କା ଏଇ ବାଘୁଣୀ ଅତୀତରେ କୌଣସି ମଣିଷକୁ ଆଘାତ କରି ନାହିଁ। ସେ ଲୋକଟି ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବାରୁ ବାଘୁଣୀ ତାକୁ ଆକ୍ରମଣ କରିଥିଲା।

କମ୍ବିଂ ଅପରେସନ୍‌ ନିମନ୍ତେ ଗ୍ରାମରେ ରଖାଯାଇଥିବା ହାତୀମାନଙ୍କ ଉପରକୁ ଉତ୍ତ୍ୟକ୍ତ ଲୋକେ ଟେକାପଥର ପକାଇବା ସହ ବନ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ମନା କରି ଦେଇଛନ୍ତି।

ବାଘୁଣୀ ହତ୍ୟାରେ ସମ୍ପୃକ୍ତ ଗ୍ରାମବାସୀଙ୍କ ବିରୋଧରେ ସମୁଚ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଦୁଧ୍‌ଓ୍ଵା ବ୍ୟାଘ୍ର ସଂରକ୍ଷଣର ଫିଲ୍‌ଡ୍‌ ଡାଇରେକ୍ଟର୍‌ ରମେଶ ପାଣ୍ଡେ ନିର୍ଦେଶ ଦେଇଛନ୍ତି।

By amfnews

Related Post