Sat. Sep 12th, 2026

ଶ୍ୱଶୁର ଘର ଲୋକେ ଜ୍ୱାଇଁଙ୍କୁ ମାରିଦେଲେ

278 Views

ଯାଜପୁର  :  ପତ୍ନୀଙ୍କୁ ଆଣିବା ପାଇଁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଥାନା ଅନ୍ୟାସପୁର ଗାଁରେ। ମୃତକଙ୍କ ନାଁ ସନ୍ଥ ସେଠୀ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁରେ।

ସୂଚନା ଅନୁଯାୟୀ, ବର୍ଷେ ତଳେ ସେ ଅନ୍ୟାସପୁର ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ସାଙ୍ଗରେ ଧରି ଫେରାର ହୋଇଯାଇଥିଲା । ତେବେ ତା’ର ଚାରି ମାସ ପରେ ସେ ତାଙ୍କୁ ଆଣି ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ। ଗତକାଲି ରାତିରେ ସେ ତାଙ୍କ ପତ୍ନୀଙ୍କୁ ନେବାକୁ ଶ୍ୱଶୁର ଘରକୁ ଆସିଥିଲେ। ତେବେ ଝିଅକୁ ଛାଡ଼ିବେ ନାହିଁ ବୋଲି ତାଙ୍କ ଶ୍ୱଶୁର ଘର ଲୋକେ କହିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା।

ଝଗଡ଼ା ବେଳେ ସନ୍ଥଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଠେଙ୍ଗା ଓ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଏହା ଜଣାପଡ଼ିବା ପରେ ସନ୍ଥଙ୍କ ବାପା ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତଦେହକୁ ଜବତ କରିବା ସହିତ ସନ୍ଥଙ୍କ ଶାଶୂ, ଶ୍ୱଶୁର, ଶଳା ଓ ଗାଁର ଅନ୍ୟ ଜଣେ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛନ୍ତି।

By amfnews

Related Post