Thu. Oct 1st, 2026

ଶୁଣିଲାନି ପ୍ରଶାସନ : ମଦ ଦୋକାନରେ ମହିଳାଙ୍କ ଭଙ୍ଗାରୁଜା

195 Views

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାରିମୂଳ ପଂଚାୟତ ନାଗେଶ୍ୱରପୁର ଗାଁରେ ଆଜି ଏକ ଉଲ୍ଲେଖନୀୟ ଘଟଣା ଘଟିଛି। ମଦୁଆଙ୍କ ଉତ୍ପାତରେ ଅତିଷ୍ଠ ହୋଇ ଉତ୍ତ୍ୟକ୍ତ ମହିଳାମାନେ ମଦ ଦୋକାନରେ ଭଙ୍ଗାରୁଜା କରିଛନ୍ତି। ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ବି କୌଣସି ସୁଫଳ ନ ମିଳିବାରୁ ମହିଳାମାନେ ବାଧ୍ୟ ହୋଇ ଏ ପ୍ରକାର ଚରମ ପଦକ୍ଷେପ ନେଇଛନ୍ତି। ଏଭଳି ଘଟଣା ଆଜି ସାରାଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ନାଗେଶ୍ୱରପୁର ଗାଁରେ ଏକ କ୍ୟାବିନ ଭିତରେ ଦୀର୍ଘଦିନ ହେବ ଦେଶୀ ମଦ ବେପାର ଚାଲିଥଲା। ଏହା ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନ ହୋଇଥିବାବେଳେ ପ୍ରତିଦିନ ମଦ୍ୟପଙ୍କ ଉତ୍ପାତରେ ସ୍ଥାନୀୟ ଅଂଚଳବାସୀ ଅତିଷ୍ଠ ହୋଇ ପଡ଼ିଥିଲେ। ଏପରି କି ଗାଁ ରାସ୍ତାରେ ଝିଅବୋହୂ ଯିବା କଷ୍ଟକର ହୋଇ ପଡିଥିଲା। ମହିଳା ମାନେ ଏ ସଂପର୍କରେ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତୁରନ୍ତ ଗାଁରୁ ମଦ ଦୋକାନ ହଟାଇବା ପାଇଁ ସେମାନେ ଦାବି କରିଥିଲେ। କିନ୍ତୁ ପ୍ରାଶାସନିକ ଅଧିକାରୀ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଆଜି ମହିଳାମାନେ ଏକାଠି ହୋଇ ମଦ ଦୋକାନ ଭାଙ୍ଗି ଥିଲେ। ହାତରେ ଶାବଳ, ବାଉଁଶ ଧରି ବହୁ ମହିଳା ପ୍ରଥମେ ଦୋକାନ ତାଲା ଭାଙ୍ଗିବା ପରେ ଭିତରୁ ଗୋଟିଏ ପରେ ଗୋଟିଏ ମଦ ପେଟି ବାହାରକୁ କାଢ଼ି ଫିଙ୍ଗି ଦେଇଥିଲେ। ଉତ୍ତ୍ୟକ୍ତ ମହିଳାମାନେ ମଦ ବୋତଲଗୁଡ଼ିକୁ ବାଡ଼େଇ ଗୁଣ୍ଡ କରି ଦେଇଥିଲେ।

ଅନ୍ୟପକ୍ଷରେ ଦୋକାନ ଭାଂଗିବା ନେଇ ମହିଳାଙ୍କ ବିରୋଧରେ ମଦ ଦୋକାନ ମାଲିକ ଥାନାରେ ଏତଲା ଦେଇଥିବା ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି।

By amfnews

Related Post