Thu. Jun 11th, 2026

ଶିଶୁକନ୍ୟାକୁ ଦୁଷ୍କର୍ମ, ଅବସ୍ଥା ସଙ୍କଟାପନ୍ନ, କଟକ ସ୍ଥାନାନ୍ତର

222 Views

ଗୁଆଲି(କେନ୍ଦୁଝର) , ଜାନୁଆରୀ ୧୧ : ଜଣେ ୭ ବର୍ଷର ଶିଶୁକନ୍ୟା ପ୍ରତି ହୋଇଛି ପାଶବିକ ଅତ୍ୟାଚାର। ଘର ପାଖରେ ଖେଳୁଥିବା ଶିଶୁକନ୍ୟାକୁ ଟେକିନେଇ ଜଣେ ୧୯ ବର୍ଷର ଯୁବକ ଦୁଷ୍କର୍ମ କରିଛି। ଏଥିରେ ଝିଅଟିର ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ବଡ଼ବିଲ ଓ ପରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାତିରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଗୁଆଲି ପଞ୍ଚାୟତର ନଦିଡିହି ନୂଆଗାଁରେ ଘଟିଥିବା ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଏହି ମାମଲାରେ ଅଭିଯୁକ୍ତ ଯୁବକ ଗଣେଶ ମୁଣ୍ଡାକୁ ରୁଗୁଡ଼ି ଥାନା ପୁଲିସ ଗିରଫ କରିଛି। ମିଳିଥିବା ଖବର ଅନୁସାରେ ଗତକାଲି ସନ୍ଧ୍ୟାରେ ଗଣେଶ ମୁଣ୍ଡା (୧୯) ଝିଅଟିକୁ ନିକଟସ୍ଥ ନଦୀକୂଳକୁ ଟେକିନେଇ ଦୁଷ୍କର୍ମ କରିଥିଲା। ପରେ ଝିଅଟିକୁ ମୁମୂର୍ଷୁ ଅବସ୍ଥାରେ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲା। ଝିଅଟି ଚେତା ହରାଇ ସେଠାରେ ରାତି ୯ଟା ପର୍ଯ୍ୟନ୍ତ ପଡ଼ିରହିଥିଲେ ବି ଘଟଣା ବିଷ‌ୟରେ କେହି ଜାଣି ପାରିନଥିଲେ। ଚେତା‌ ଫେରିବା ପରେ କୌଣସି ପ୍ରକାରେ ଘରକୁ ଆସିବା ପରେ ଏ ବିଷ‌ୟରେ ଘର ଲୋକେ ଜାଣିଥିଲେ।

ସଙ୍ଗେସଙ୍ଗେ ଗ୍ରାମର ୱାର୍ଡ ମେମ୍ବର ପ୍ରଥମେ ରୁଗୁଡ଼ି ପୁଲିସକୁ ଜଣାଇଥିଲେ ଏବଂ ୧୦୮ ଆମ୍ବୁଲାନ୍‌ସକୁ ଡାକି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସନ୍ଧ୍ୟାରେ ଅବସ୍ଥା ଜଟିଳ ହେବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଗଣେଶ ମୁଣ୍ଡା ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ରୁଗୁଡ଼ି ପୁଲିସ ହାତରେ ଧରାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post