Thu. Sep 3rd, 2026

ଶିବକୁମାରଙ୍କ ଗିରଫଦାରି ବିରୋଧରେ ରାସ୍ତା ଅବରୋଧ କଲେ କଂଗ୍ରେସ କର୍ମୀ

309 Views

ବାଙ୍ଗାଲୁରୁ  : ମନି ଲଣ୍ଡ୍ରିଙ୍ଗ୍‌ ମାମଲାରେ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ନୂଆଦିଲ୍ଲୀ ଠାରେ ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଗିରଫ କରିବା ପରେ ବୁଧବାର ଦିନ କର୍ଣ୍ଣାଟକରେ କଂଗ୍ରେସ କର୍ମୀମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ତାଙ୍କ ଗିରଫଦାରି ଖବର ଜଣାପଡ଼ିବା ମାତ୍ରେ ତାଙ୍କ ନିର୍ବାଚନ ମଣ୍ଡଳୀ କନକପୁରରେ ସମର୍ଥକମାନେ ମହୀଶୂର ଯାଉଥିବା ବସ୍‌ଗୁଡ଼ିକ ଉପରକୁ ଢେଲା ଫିଙ୍ଗିଥିଲେ। ବୁଧବାର ଦିନ ଶିବକୁମାରଙ୍କ ସମର୍ଥକମାନେ ଗୋଟାଏ ବସ୍‌ରେ ନିଆଁ ଲଗାଇ ଦେଇ ବେଙ୍ଗାଲୁରୁ-ମହୀଶୂର ରାସ୍ତାର କିଛି ଅଂଶ ଅବରୋଧ କରିଥିଲେ। ଫଳରେ କର୍ଣ୍ଣାଟକ ସଡ଼କ ପରିବହନ ନିଗମ ଯାନବାହନ ଚଳାଚଳ ରାସ୍ତା ପରିବର୍ତ୍ତନ କରିଥିଲା।

ପ୍ରତିବାଦକାରୀମାନେ ରାଜଧାନୀ ଉପକଣ୍ଠସ୍ଥିତ ରାମନଗର ସହରର ଇଜୁର ସର୍କଲ୍‌ ବନ୍ଦ୍‌ କରିଥିଲେ। ରାମନଗରରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯିବା ସହ ସ୍କୁଲ୍‌, କଲେଜଗୁଡ଼ିକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛି। ଦିଲ୍ଲୀ ଠାରେ ଚାରି ଦିନ କାଳ ଜେରା କରିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଶିବକୁମାରଙ୍କୁ ଗିରଫ କରିଥିଲେ। ଆଜି ତାଙ୍କୁ ସ୍ପେସାଲ୍‌ କୋର୍ଟରେ ହାଜର କରାଯିବ।

By amfnews

Related Post