Sat. Jul 25th, 2026
271 Views

ଭୁବନେଶ୍ବର: ରାଜଧାନୀରେ ଅତାଙ୍କ ଖେଳାଇଥିବା ଏକ ଲୁଟେରା ଗ୍ୟାଙ୍ଗକୁ ସହିଦନଗର ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୮ ଲୁଟେରାକୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ‌୩ଟି ବାଇକ୍‌, ୨୫ଟି ମୋବାଇଲ୍ ଫୋନ୍‌ ଓ ଗୋଟିଏ ସୁନା ଚେନ୍‌ ଜବତ ହୋଇଛି। ସେମାନେ ହେଲେ ପଥରବନ୍ଧ ବସ୍ତିର ଲିକୁ ‌ପଣ୍ଡା(୧୯), ବବୁଲ ସାହୁ(୨୦), ସନ୍ତୋଷ ନାୟକ(୨୧), ଦୀପୁ ସିଂ(୨୬), ମଞ୍ଚେଶ୍ବର ମୁଣ୍ଡାସାହି ବସ୍ତିର ତୁଷାର ରଂଜନ ପ୍ରଧାନ ଓରଫ କାହ୍ନା(୨୩), ନରେନ୍ଦ୍ର ବାହାଦୁର ଓରଫ ନୀର(୧୯), ରବୀନ୍ଦ୍ର ତିରିଆ ଓରଫ ଟୋକା(୨୩) ଏବଂ ଭଗବତୀ ବସ୍ତିର ଲକ୍ଷ୍ମୀଧର ‌ବେହେରା ଓରଫ ଲଖିଆ(୨୪)।

ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ଏହି ଗ୍ୟାଙ୍ଗ ରାଜଧାନୀର ଜନଗହଳି ସ୍ଥାନ, ଜାତୀୟ ରାଜପଥରେ ଲୁଟ୍‌ କରୁଥିଲେ। ଏହି ଗ୍ୟାଙ୍ଗକୁ ଠାବ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲା। ମୋବାଇଲ୍‌ ଟ୍ରାକିଂ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗୁରୁବାର ସନ୍ଧ୍ୟାରେ ନରେନ୍ଦ୍ର ବହାଦୁର ସହିଦନଗର ସ୍ଥିତ ଏକ ମଲ୍‌କୁ ସପିଂ ପାଇଁ ଆସିଥିବା ବେଳେ ପୁଲିସର ଏକ ଟିମ୍‌ ସେଠାରୁ ତାକୁ ଗିରଫ କରିଥିଲା। ନରେନ୍ଦ୍ରର ସୂଚନା ଆଧାରରେ ପୁଲିସର ୨ଟି ଟିମ୍‌ ପଥରବନ୍ଧ ବସ୍ତି ଓ ମଞ୍ଚେଶ୍ବର ଅଞ୍ଚଳ‌ରେ ଚଢ଼ଉ କରି ସମସ୍ତ ଲୁଟେରାଙ୍କୁ ଗିରଫ କରିଥିଲା।

ସେହିପରି ମୋବାଇଲ୍‌ ଚୋରି ଅଭିଯୋଗରେ ରେଳବାଇ ଥାନା ପୁଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪ଟି ମୋବାଇଲ୍‌ ଜବତ କରିଛି। ସେମାନେ ହେଲେ, ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳର ଟି. ଗଙ୍ଗା ରେଡ୍ଡୀ(୨୯) ଓ ଫକୀରା ରାଉତ(୩୦)। ଗୁରୁବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ ଅଞ୍ଚଳର ସି. ଏସ୍ ଶର୍ମା ନାମକ ଜଣେ ଯାତ୍ରୀ ଓ ତାଙ୍କର ଜଣେ ବନ୍ଧୁ ଯାତ୍ରୀ ପ୍ରେକ୍ଷାଳୟରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସେମାନେ ସେଠାରେ ଶୋଇଥିବା ବେଳେ ଏହି ଦୁଇଜଣ ସେମାନଙ୍କର ୪ଟି ମୋବାଇଲ୍‌ ଚୋରି କରି ନେଇଥିଲେ।

By amfnews

Related Post