Sat. Apr 25th, 2026

ରାହୁଲ ତରବରିଆ ଭାବରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି: ସଲମାନ୍

180 Views

ନୂଆଦିଲ୍ଲୀ  : କଂଗ୍ରେସ ନେତା ରାହୁଲ ଗାନ୍ଧି ତରବରିଆ ଭାବରେ ଦଳର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ଦଳ ଏବେ ବି ତାଙ୍କ ଉପରେ ଭରସା ରଖିଛି। ଖବର ସରବରାହ ସଂସ୍ଥା ଆସୋସିଏଟେଡ ପ୍ରେସକୁ ଏକ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆଇନ୍ ଏବଂ ବୈଦେଶିକ ମନ୍ତ୍ରୀ ସଲମାନ୍ ଖୁର୍ସିଦ୍।

ସେ କହିଛନ୍ତି “ଚଳିତମାସ ହରିଆନା ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ। ଏଥିରେ ଦଳ ବିଜୟୀ ହେବାର ସମ୍ଭାବନା ନାହିଁ। ଦଳର ବର୍ତ୍ତମାନ ସ୍ଥିତି ଯାହା ରହିଛି ଆଗାମୀ ଭବିଷ୍ୟତ ମଧ୍ୟ ସ୍ଥିର କରିପାରିବ ନାହିଁ। ଦଳକୁ ଏବେ ବି ୨୦୧୯ ସାଧାରଣ ନିର୍ବାଚନରେ ପରାଜୟ ଭୟ ଘାରିଛି। କଂଗ୍ରେସ ଏବେ ଏହାରି ଭିତରେ ସୀମିତ ରହିଛି। ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦ ଛାଡ଼ିବା ପରେ ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ପଦବୀରେ ରଖାଯାଇଛି। ଚଳିତମାସ ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ନୂଆ ଅଧ୍ୟକ୍ଷ ବାବଦରେ ନିଷ୍ପତ୍ତି ନିଆଯିବ। ଏହାପରେ ସୋନିଆ ଗାନ୍ଧି ହିଁ ପୁଣି ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ସୋନିଆ ଗାନ୍ଧି ଏବେ ନିଜ ଅନ୍ତରୀଣ କାର୍ଯ୍ୟକାଳକୁ ଶେଷ କରିବା ପାଇଁ ଚେଷ୍ଟା କରୁଛନ୍ତି। ଦଳ କାହିଁକି ସାଧାରଣ ନିର୍ବାଚନରେ ହାରିଲା ଏଯାଏ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଦଳର ସବୁଠୁ ବଡ଼ ସମସ୍ୟା ହେଲା ଅନେକ ନେତା ଦଳ ଛାଡ଼ିଦେବା”।

୨୦୧୯ ସାଧାରଣ ନିର୍ବାଚନରେ ୫୪୨ ଲୋକସଭା ଆସନରୁ କଂଗ୍ରେସ ମାତ୍ର ୫୨ଟି ଆସନ ଜିତିବାରେ ସକ୍ଷମ ହୋଇଛି। ୩୦୩ ଆସନ ଶାସକ ଦଳ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଛି। ଏବେ ହରିଆନା ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୨୧ରେ ଭୋଟ୍ ପଡ଼ିବ। ୨୪ରେ ଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ହରିଆନା, ମହାରାଷ୍ଟ୍ର, ତ୍ରିପୁରା, ଝାଡ଼ଖଣ୍ଡ ଏବଂ କର୍ଣ୍ଣାଟକରେ କଂଗ୍ରେସ କଳି ଏବେ ତେଜିବାରେ ଲାଗିଛି। ଅନ୍ୟପଟେ ଦଳର ବର୍ତ୍ତମାନର ସ୍ଥିତିକୁ ନେଇ କଂଗ୍ରେସର କେନ୍ଦ୍ର ନେତା ସଲମାନ୍ ଖୁର୍ସିଦ୍ ଦଳ ବିରୋଧରେ ବର୍ଷିବା ନିର୍ବାଚନ ବେଳେ ଅଡୁଆରେ ପକାଇପାରେ।

By amfnews

Related Post