Fri. Apr 24th, 2026

ରାତି ଅଧରେ ଚାଳ ଫାଙ୍କରେ ମହିଳାଙ୍କୁ ଗୁଳି, ମେଡିକାଲ୍‌ରେ ଭର୍ତ୍ତି

167 Views

ବାରିପଦା : ଗୁଣି ଗାରେଡ଼ିକୁ ସନ୍ଦେହ ରାତି ଅଧରେ ଚାଳ ଛପର ଘର ଫାଙ୍କରେ ମହିଳାଙ୍କୁ ଗୁଳି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଧରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବର୍ଷେ ତଳେ ବିଷୋୟୀ ଥାନା ତଲକବଦି ଗାଁର ଗୋବିନ୍ଦ ହେମ୍ୱ୍ରମଙ୍କ ଭାଇ ଥାଲଖାନ୍‌ଙ୍କ ପୁଅ ଠାକୁର(୧୭)ର ମୃତ୍ୟୁ ହୋଇଥିଲା। ଗୋବିନ୍ଦ ଓ ତାଙ୍କ ପତ୍ନୀ ମାଇନ୍‌ ଗୁଣି କରିଥିବାରୁ ଠାକୁରର ମୃତ୍ୟୁ ହୋଇଥିବା ସବୁବେଳେ ସନ୍ଦେହ କରୁଥିଲେ ଥାଲଖାନ୍‌। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟ ପାଟିତୁଣ୍ଡ ହେଉଥିଲା। ପ୍ରତିଶୋଧ ନେବାକୁ କହୁଥିଲେ ଥାଲଖାନ୍‌।

ଗତକାଲି ରାତିରେ ଗୋବିନ୍ଦ ଓ ତାଙ୍କ ପତ୍ନୀ ମାଇନ ଖାଇପିଇ ଘରେ ଶୋଇଥିଲେ। ଏହି ସମୟରେ ଥାଲଖାନ୍‌ଙ୍କ ଶଳା ରୁପାଇ ମାଝି ଚାଳ ଛପର ଫାଙ୍କରେ ଏକ ପିସ୍ତଲରେ ଫାୟାରିଂ କରିଥିଲେ। ଫଳରେ ଗୁଳି ମାଇନ୍‌ଙ୍କ ମୁଣ୍ଡରେ ବାଜିଥିଲା। ଏହା ପରେ ପୂରା ପରିବାର ଉଠି ପଡ଼ିଥିଲେ। ହୋ-ହଲ୍ଲା ଶୁଣି ସାହି ପଡ଼ିଶା ଉଠିପଡ଼ି ରୁପାଇକୁ କାବୁ କରିନେଇ ଥିଲେ। ଏପରିକି ସ୍ଥାନୀୟ ଥାନାକୁ ଖବର ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ରୁପାଇକୁ ଅଟକ ରଖି ପଚରାଉଚରା କରୁଛି।

ଆଜି ସକାଳେ ମାଇନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

By amfnews

Related Post