Sat. Jul 4th, 2026

ରାଜ୍ୟରେ ବଢୁଛି ତାପମାତ୍ରା : ଅଂଶୁଘାତ ପାଇଁ ସତର୍କ କରାଇଲା ଓସଡମା

316 Views

ଭୁବନେଶ୍ବର : ଗୋଟିଏ ପଟେ ଦେଶ କରୋନାକୁ ନେଇ ଆତଙ୍କଜନକ ସ୍ଥିତିରେ ଥିବା ବେଳେ ଅନ୍ୟପଟେ ତାପମାତ୍ରା ବୃଦ୍ଧି କାରଣରୁ ଅଂଶୁଘାତ ଭୟ ସୃଷ୍ଟି ହେଲାଣି। ଏହାକୁ ଦୃଷ୍ଟିରେ ରଖି ଓସଡମାର ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ଚିଠି ଲେଖି ଜଣାଇଛନ୍ତି ଯେ ତାପମାତ୍ରା ବୃଦ୍ଧି କାରଣରୁ ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଏଣୁ କରୋନା ମୁକାବିଲା ସହିତ ଏ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ଆବଶ୍ୟକ।

ଶ୍ରୀ ଜେନା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଗ୍ରୀଷ୍ମଋତୁ ପାଇଁ ସତର୍କ ରହିବା ଲାଗି ଓସଡମା ପୂର୍ବରୁ ସତର୍କ କରାଇଥିଲା। ଏବେ କିନ୍ତୁ ହଠାତ୍ ଦେଖାଯାଉଛି ଯେ ତାପମାତ୍ରା ବଢିବା ଆରମ୍ଭକଲାଣି। ଏହା ମଣିଷ, ପଶୁ ଆଦିଙ୍କ ପ୍ରତି ବିପଦ ବଢାଉଛି। ବିେଶଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବଢ଼ିଚାଲିଛି। ଯଦି ଏହି ଧାରାରେ ତାପମାତ୍ରା ବଢିଚାଲେ, ତେବେ ଯେ କୌଣସି ମୁହୂର୍ତରେ ଭାରତର ପାଣିପାଗ ବିଭାଗ ଅଂଶୁଘାତ କଟକଣା ଜାରି କରିପାରନ୍ତି। ଏଣୁ ବେଳ ଥାଉ ଥାଉ ଜିଲ୍ଲାପାଳମାନେ ଏଥିପ୍ରତି ସତର୍କ ରହିବା ସହିତ ସବୁ ଲାଇନ୍ ବିଭାଗକୁ ନେଇ ପ୍ରସ୍ତୁତି ବୈଠକ କରିବା ଦରକାର। କେବଳ ସେତିକି ନୁହେଁ, ଜିଲ୍ଲା, ସବଡିଭିଜନ ଓ ବ୍ଲକ୍‌ସ୍ତରରେ ଅଂଶୁଘାତ-୨୦୨୦ ପାଇଁ ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି) ପାଳନ ପାଇଁ ସମୀକ୍ଷା ଆଦି ହେବା ଉଚିତ। ଅନ୍ୟଥା ଅଂଶୁଘାତ ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ।

ଉଲ୍ଲେଖ ଥାଉକି, ଓସ୍‍ଡମା ପକ୍ଷରୁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅଂଶୁଘାତ ଯୋଜନା – ୨୦୨୦ ପଠାଇଥିଲା। ଯେଉଁଥିରେ କି ବିଭିନ୍ନ ବିଭାଗର ଦାୟିତ୍ୱ ଓ ସମନ୍ୱୟ ରକ୍ଷାକରି କିଭଳି ଏହାର ମୁକାବିଲା ଦିଗରେ ପଦକ୍ଷେପ ନିଆଯାଇପାରିବ, ସେ ନେଇ ଦର୍ଶାଯାଇଥିଲା। ଅଂଶୁଘାତ ମୁକାବିଲା କାର୍ଯ୍ୟରେ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ସେ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଏଥିରେ କୁହାଯାଇଥିଲା।

By amfnews

Related Post