Wed. Sep 2nd, 2026

ରାଜ୍ୟରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ, ୪୮ ଛୁଇଁଲା ମୋଟ ସଂଖ୍ୟା

314 Views

ଭୁବନେଶ୍ୱର: ଗୁରୁବାର ଆହୁରି ୪ ଜଣଙ୍କଠାରେ କରୋନା ଭୂତାଣୁ ପଜିଟିଭ୍‌ ରହିଥିବା ଜଣାପଡ଼ିବା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଛି। ଗୁରୁବାର ଦିନକରେ ମୋଟ ୬ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ୪୮ ଜଣଙ୍କ ମଧ୍ୟରୁ ୪୫ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୨ ଜଣ ସୁସ୍ଥ ଅଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ଏଥର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟରରେ ତଥ୍ୟ ଦିଆଯାଇନି। ଏହି ଟ୍ୱିଟର ହ୍ୟାଣ୍ଡଲରେ ଶେଷଥର ପାଇଁ ୪୦୦୦ ଟେଷ୍ଟ ପାଇଁ କିଟ୍‌ ଏବଂ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ଏୟାର କାର୍ଗୋ ଜରିଆରେ ଓଡ଼ିଶା ପହଞ୍ଚିଥିବା ବିଷୟରେ ଟ୍ୱିଟ୍‌ କରାଯାଇଛି। ଅନ୍ୟପକ୍ଷରେ ସୂଚନା ଓ ପ୍ରସାରଣ ବିଭାଗର ଟ୍ୱିଟର ହ୍ୟାଣ୍ଡଲ ରାତି ୧୨.୩୪ରେ କରୋନା ଆକ୍ରାନ୍ତ ସମ୍ପର୍କିତ ଖବର ବାବଦରେ ଟ୍ୱିଟ୍‌ କରାଯାଇଛି।

View image on Twitter

ସୂଚନା ଓ ପ୍ରସାରଣ ବିଭାଗର ଟ୍ୱିଟ୍‌ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍‌ରେ ନୂଆ ୪ ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ଦିଆଯାଇଥିଲା। ଏହି ତଥ୍ୟ ଅନୁଯାୟୀ, ୯ ତାରିଖରେ ମୋଟ ୪୦୮ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୪୦୨ଟି ନେଗେଟିଭ୍‌ ଏବଂ ୬ଟି ପଜିଟିଭ୍‌ ଆସିଛି। ବର୍ତ୍ତମାନ ଟେଷ୍ଟିଂ କିଟ୍‌ ଆସିଯାଇଥିବାରୁ କରୋନା ପରୀକ୍ଷାର ମାତ୍ରା ବଢ଼ିବ ବୋଲି କୁହାଯାଉଛି। ଏହା ପୂର୍ବରୁ ଦିନରେ ୨ ଜଣ କରୋନା ପଜିଟିଭ୍‌ଙ୍କ ବାବଦରେ ତଥ୍ୟ ଦିଆଯାଇଥିଲା।

ଦିନରେ ଚିହ୍ନଟ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତଙ୍କ ଘର ଢେଙ୍କାନାଳ ଜିଲ୍ଲାର ହୋଇଥିବା ଅନ୍ୟ ଜଣଙ୍କ ଘର ପଶ୍ଚିମବଙ୍ଗ ମେଦିନିପୁର ବୋଲି ଜଣାପଡ଼ିଛି। ତେବେ ଢେଙ୍କାନାଳର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ମହିଳା ବୋଲି ଜଣାପଡ଼ିଛି। ତାଙ୍କ ବୟସ ୫୧।

ସେହିପରି ମେଦିନିପୁର ଅଞ୍ଚଳର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୬୯ ବର୍ଷ ବୟସ୍କ ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେନେଇ ତନାଘନା ଚାଲିଛି। ଏଥିସହିତ ଓଡ଼ିଶା ସରକାର ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବଢ଼ାଇଦେଇଛନ୍ତି। ସମଗ୍ର ଦେଶରେ ପ୍ରଥମ କରି ଓଡ଼ିଶା ସରକାର ଏପରି କରିଛନ୍ତି।

By amfnews

Related Post