Fri. Sep 4th, 2026

ରାଜଧାନୀର ସରକାରୀ ବିଦ୍ୟାଳୟ: ଆଜିଠୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା

312 Views

ଭୁବନେଶ୍ବର: ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ପକ୍ଷରୁ ଭୁବନେଶ୍ବର ସହରର ବିଦ୍ୟାଳୟକୁ ଯୋଗାଣ ହେଉଥିବା ନିରାମିଷ ମଧ୍ୟାହ୍ନ ଭୋଜନରେ ଶନିବାରଠାରୁ ଅଣ୍ଡା ଖାଇବାକୁ ଦିଆଯିବ। ଅଣ୍ଡା ଦିବସ ଅବସରରେ ଆସନ୍ତାକାଲି ଆଇଆରସି ଭିଲେଜ୍‌ ସେକ୍ଟର-୬ସ୍ଥିତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମର ଆରମ୍ଭ ହେବ ବୋଲି ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳୀ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ଦୁଇ ଦିନ ସିଝା ଅଣ୍ଡା ଖାଇବାକୁ ଦିଆଯିବ।

ଫାଉଣ୍ଡେସନ୍‌ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ପଠାଇବା ସମୟରେ ଅଣ୍ଡା ଦେବ ନାହିଁ। ବିଦ୍ୟାଳୟରେ ଅଣ୍ଡା ସିଝାଇ ପିଲାଙ୍କୁ ଖାଇବାକୁ ଦିଆଯିବ। ଅଣ୍ଡା ବାବଦରେ ପିଲାଙ୍କ ପିଛା ଫାଉଣ୍ଡେସନ୍‌କୁ ଦିଆଯାଉଥିବା ଅର୍ଥରୁ ଟଙ୍କା କଟାଯିବ। ଆଉ ସେହି ଅର୍ଥରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରତି ସପ୍ତାହରେ ଦୁଇ ଦିନ ସିଝା ଅଣ୍ଡା ଦିଆଯିବ। ସ୍କୁଲ ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିଗୁଡ଼ିକ ସିସିଏଚ୍‌ ଓ ଏସ୍‌ଏଚ୍‌ଜି ମାଧ୍ୟମରେ ଅଣ୍ଡା ସିଝାଇ ପିଲାଙ୍କୁ ଖାଇବାକୁ ଦେବେ। ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି, ଯେଉଁ ଖାଦ୍ୟ ଦିଆଯାଉଛି, ସେଥିରେ ପ୍ରୋଟିନ୍‌ ଓ ନ୍ୟୁଟ୍ରିସନ୍‌ ରହୁଛି। ଅଣ୍ଡା ଦେବା ପାଇଁ କେତେଜଣ ଅଭିଭାବକ ପ୍ରସ୍ତାବ ରଖିବା ପରେ ଗତ ମାସରେ ଏନେଇ ଆଲୋଚନା ହୋଇଥିଲା। ଏବେ ଯେଉଁ ଖାଦ୍ୟ ଦିଆଯାଉଛି, ସେଥିରୁ କିଛି କଟାଯିବ ନାହିଁ। ପୂର୍ବଭଳି ସମାନ ଖାଦ୍ୟ ଦେବୁ।
ସୂଚନାଯୋଗ୍ୟ ଯେ ଭୁବନେଶ୍ବର ସମେତ ପୁରୀ, କଟକ, ରାଉରକେଲା ଓ ନୟାଗଡ଼ ସହରର ସରକାରୀ ବିଦ୍ୟାଳୟଗୁଡ଼ିକୁ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ମଧ୍ୟାହ୍ନ ଭୋଜନରେ ନିରାମିଷ ଖାଦ୍ୟ ଯୋଗାଉଛି। ସେଣ୍ଟ୍ରାଲାଇଜ୍‌ଡ୍‌ କିଚେନ୍‌ ମାଧ୍ୟମରେ ଉକ୍ତ ୫ଟି ସହରର ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଯୋଗାଉଛି ଫାଉଣ୍ଡେସନ୍‌। ଗଣଶିକ୍ଷା ବିଭାଗର ଅଧିକାରୀମାନେ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ସହ ଆଲୋଚନା କରି ଅଣ୍ଡା ଖାଇବାକୁ ଦେବା ପାଇଁ ପ୍ରସ୍ତାବ ‌ଦେଇଥିଲେ। ଫାଉଣ୍ଡେସନ୍‌ର କେନ୍ଦ୍ରୀୟ କମିଟି ପ୍ରସ୍ତାବରେ ମୋହର ମାରିବା ପରେ ଏଭଳି ନିଷ୍ପତ୍ତି ହୋଇଛି। ଭୁବନେଶ୍ବରରେ ୩୦ ହଜାରରୁ ଅଧିକ ପିଲାଙ୍କୁ ମଧ୍ୟାହ୍ନଭୋଜନ ଯୋଗାଣ ହେଉଛି।

By amfnews

Related Post