Fri. Jul 3rd, 2026

ମୋବାଇଲ୍‌ ଖେଳ ହେଲା କାଳ, ଟ୍ରେନ୍‌ରୁ ଖସିପଡ଼ି ଯୁବକଙ୍କ ହାତ କଟିଲା

466506979
215 Views

ରାଜଗାଙ୍ଗପୁର : ଟ୍ରେନ୍‌ ଯାତ୍ରାବେଳେ ମୋବାଇଲ୍‌ ଖେଳ ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ମୋବାଇଲ୍‌ ଖେଳରେ ମସଗୁଲ ଥିବାବେଳେ ଟ୍ରେନ୍‌ରୁ ଖସି ପଡ଼ି ସେ ଗୋଟିଏ ହାତ ହରାଇବା ସହ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସିତ ହେଉଛନ୍ତି। ଟ୍ରେନ୍‌ ନମ୍ବର ୧୨୭୬୭ ସାନ୍ତ୍ରାଗାଛି ଏକ୍ସପ୍ରେସ୍‌ରେ ରାଜୁ କୁମାର (୨୩) ଝାରସୁଗୁଡ଼ାରୁ ରାଉରକେଲା ଆସୁଥିଲେ। ସେଠାରେ ଷ୍ଟପେଜ୍ ନଥି‌ଲେ ମଧ୍ୟ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ ସମୟରେ କାଂସବାହାଲ ଠାରେ ଟ୍ରେନ୍‌ଟି କୌଣସି କାରଣବଶତଃ ଅଟକି ଥିଲା। ଏହି ସମୟରେ ରାଜୁ କବାଟ ପାଖରେ ଛିଡ଼ା ହୋଇ ନିଜ ମୋବାଇଲ୍‌ରେ ବ୍ୟସ୍ତ ଥିଲେ। ଅଟକିବା ପରେ ଟ୍ରେନ୍‌ ଯେତେବେଳେ ଛାଡ଼ିଲା, ସେହି ସମୟର ଝଟ୍‌କାରେ ସେ ନିଜର ଭାରସାମ୍ୟ ରଖି ନ ପାରି ଟ୍ରେନ୍‌ ବଗି ଏବଂ ପ୍ଲାଟଫର୍ମ ମଝିରେ ଥିବା ଫାଙ୍କବାଟେ ରେଳ ଧରଣାକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ବାମହାତଟି ବାହୁଠାରୁ କଟି ଯାଇଥିଲା ଏବଂ ବାମ ଗୋଡ଼ଟି ମଧ୍ୟ ଭାଙ୍ଗି ଯାଇଥିଲା। ଟ୍ରେନ୍‌ ଅଟକିବା ପରେ ତାଙ୍କୁ ଉଦ୍ଧାର କରି ଏକ ମାଲବାହୀ ଗାଡ଼ିରେ ରାଜଗାଙ୍ଗପୁର ସ୍ଥିତ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି । ରାଜୁ କୁମାରଙ୍କ ବାପାଙ୍କ ନାମ ମଧୁକି ଯାଦବ ଓ ତାଙ୍କ ଘର ବିହାରର ମୁଙ୍ଗେର ଜିଲ୍ଲାର ରାଇନିଆ ଗ୍ରାମରେ ବୋଲି ଜଣାପଡିଛି ।

By amfnews

Related Post