Fri. Jul 3rd, 2026

ମୁମ୍ବାଇ ଡାକ୍ତରଖାନା ଅଗ୍ନିକାଣ୍ଡ: ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇ ୧୦ ଜଣଙ୍କୁ ବଞ୍ଚାଇଲା ଖାଦ୍ୟ ଡେଲିଭରି ଦେଉଥିବା ଯୁବକ

331 Views

ମୁମ୍ବାଇ: ସୋମବାର ସନ୍ଧ୍ୟାରେ ଖାଦ୍ୟ ଡେଲିଭରି ଦେବାକୁ ଯାଇଥିବା ବେଳେ ୨୦ ବର୍ଷିୟ ସିଦ୍ଧୁ ହୁମାନାବଡ଼େ ମୋରାଲ୍‌ସ୍ଥିତ କାମଗର ଡାକ୍ତରଖାନାରେ ଧୂଆଁ ଉଠୁଥିବା ଦେଖିଥିଲେ। ତୁରନ୍ତ ସେ ଉଦ୍ଧାରକାରୀଙ୍କ ସହ ମିଶି ୧୦ ଜଣ ରୋଗୀଙ୍କ ଜୀବନ ରକ୍ଷା କରିଥିଲେ। ଉଦ୍ଧାର କାର୍ଯ୍ୟ ବେଳେ ନାକବାଟେ ଧୂଆଁ ଯୋଗେ କଳା ପଶି ଯାଇଥିବାରୁ ଏବେ ସେ ଆନ୍ଧେରିସ୍ଥିତ ସେଭେନ୍‌ ହିଲ୍‌ସ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେ କହନ୍ତି: ଶିଡ଼ିରେ ଓହ୍ଲାଇବାରେ ମୁଁ ସହାୟତା କରୁଥିବା ବେଳେ ଦୁର୍ଯୋଗକୁ ଦୁଇ ଜଣ ରୋଗୀ ତଳକୁ ଖସି ପଡ଼ିଲେ।

ଜଣେ ବୃଦ୍ଧାଙ୍କୁ ତଳକୁ ଓହ୍ଲାଇ ଦେବା ନିମନ୍ତେ ମୁଁ ତୃତୀୟ ତାଲାର ଝରକା ଉପରେ ଶିଡ଼ି ରଖିଥିଲି, କିନ୍ତୁ ସେ ଶିଡ଼ିରେ ଚଢ଼ିବା କ୍ଷଣି ଝରକା ଥାକ ଭାଙ୍ଗିଗଲା। ସେ ତଳକୁ ପଡ଼ିଯିବାବେଳେ ମୁଁ କିଛି କରି ପାରିଲି ନାହିଁ।

ଅସୁବିଧା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା କଥା, ସାହାଯ୍ୟ କରିବା ନିମନ୍ତେ ଭୟ କରିବାର ପ୍ରଶ୍ନ ନାହିଁ ବୋଲି କହନ୍ତି ୫ ତାଲାବିଶିଷ୍ଟ ଇଏସ୍‌ଆଇସି ହସ୍‌ପିଟାଲ୍‌ ଉପରକୁ ଚଢ଼ିଥିବା ସିଦ୍ଧୁ।

ସିଦ୍ଧୁ କାମଗର ହସ୍‌ପିଟାଲ୍‌କୁ ଧାଇଁ ଯିବାବେଳେ ସାହାଯ୍ୟ ନିମନ୍ତେ ଲୋକେ ଚିତ୍କାର କରୁଥିବା ଶୁଣିଥିଲେ। ତୁରନ୍ତ ସେ ଦମକଳ ଶିଡ଼ିରେ ଚଢ଼ି ପଥର ଯୋଗେ ଝରକା କାଚ ଭାଙ୍ଗି ଭିତରକୁ ପଶିଥିଲେ। ଝରକା ଥାକ ଉପରେ ଠିଆ ହୋଇ ସେ ତଳକୁ ଓହ୍ଲାଇବା ସମୟରେ ଧୂଆଁ ଯୋଗୁଁ କିଛି ସ୍ପଷ୍ଟ ଦିଶୁ ନ ଥିଲା କି, ସହଜରେ ନିଶ୍ୱାସ ନେଇ ହେଉ ନ ଥିଲା।

ତିନି ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଛାତିରେ ଯନ୍ତ୍ରଣା ହେଉଛି ବୋଲି ସେ ଦମକଳ କର୍ମଚାରୀଙ୍କୁ କହିଥିଲେ। ସେ ମୁହଁରେ ରୁମାଲ ଖଣ୍ଡେ ବାନ୍ଧି ଥିଲେ ବି ସେଇଟା ପରେ କୁଆଡ଼େ ହଜି ଯାଇଥିଲା।

ଡାକ୍ତରଖାନାରେ ଚିକିତ୍ସିତ ହେବା ୧୫ ଘଣ୍ଟା ପରେ ସିଦ୍ଧୁ ଭୋଜନ ଗ୍ରହଣ କରିଥିଲେ। ସେ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ତାଙ୍କର ଦେଖାଶୁଣା କରୁଥିବା ଜଣେ ଡାକ୍ତର କହିଛନ୍ତି।

ଦଶମ ଶ୍ରେଣୀ ପାସ୍‌ କରିଥିବା ସିଦ୍ଧୁଙ୍କ ଘର ଆଇରୋଲିରେ କାମ ପାଇଁ ସେ ଦାଦିଙ୍କ ସହ ଆନ୍ଧେରିକୁ ଚାଲି ଆସିଥିଲେ।

By amfnews

Related Post