Sat. Jun 13th, 2026

ମୁମ୍ବାଇ: ଆୟକର ବିଭାଗ ଅଫିସରେ ଲାଗିଲା ନିଆଁ, ଲଳିତ ମୋଦୀ-ନିରବ ମୋଦୀର ଦସ୍ତାବିଜ ସ୍ଵାହା !

337 Views

ମୁମ୍ବାଇ,ଜୁନ୦୧: ଦକ୍ଷିଣ ମୁମ୍ବାଇ ସ୍ଥିତ ସିନ୍ଧିଆ ହାଉସ ବିଲ୍ଡିଂରେ ଶୁକ୍ରବାର ସନ୍ଧ୍ୟାରେ  ଭୀଷଣ ନିଆଁ ଲାଗିଛି। ନିଆଁ ଲାଗିବା ପରେ ଏହାର ଆଖପାଖ ଇଲାକାରେ ହଇଚଇ ସୃଷ୍ଟି  ହୋଇଛି। ଏହି କୋଠାରେ ଆୟକର ବିଭାଗର ଅଫିସ ମଧ୍ୟ ରହିଛି।  ଏହି ନିଆଁ କୋଠାର ତୃତୀୟ ମହଲାରେ ଲାଗିଛି। ସବୁଠୁ ବଡ଼ କଥା ଏହି ଅଫିସରେ ପଳାତକ ଲଳିତ ମୋଦୀ ଓ ନିରବ ମୋଦୀର ଫାଇଲ ଥିଲା।

ନିଆଁ ଲାଗିବାର ଖବର ମିଳିବାମାତ୍ରେ ଦମକଳ ବିଭାଗର ୫ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ୟ୍ୟରେ  ଜୁଟିଛନ୍ତି। ଦମକଳ ବିଭାଗର ଜଣେ ଅଧିକାରୀଙ୍କ ମୁତାବକ ଏହି ଘଟଣାରେ କୌଣସି ମୃତାହତର ଖବର ନାହିଁ। ଏଠାରେ କହି ରଖୁଛୁ ଯେ  ସିନ୍ଧିଆ ହାଉସରେ ଇନକମ ଟ୍ୟାକ୍ସ ବିଭାଗରେ ଇନକମ ଟ୍ୟାକ୍ସର ଇନଭେଷ୍ଟିଗେସନ ଓ୍ଵିଙ୍ଗ ରହିଛି ଯେଉଁଠି ଲଳିତ ମୋଦୀ ଓ ନିରବ ମୋଦୀକୁ ନେଇ ହୋଇଥିବା ଯାଞ୍ଚର କାଗଜପତ୍ର ଥିଲା।

କୁହାଯାଉଛି ଯେ ଏହି ଅଗ୍ନିକାଣ୍ଡରେ ସରକାରଙ୍କ ଅନେକ କ୍ଷତି ଘଟିଛି। ବିଶେଷ କରି ବ୍ୟାଙ୍କକୁ ଧୋକା ଦେଉଥିବା ଲୋକଙ୍କୁ ଏହି  ଘଟଣା ଫାଇଦା ଦେବାର ସମ୍ଭାବନା ରହିଛି। ଏହି ଘଟଣା ସନ୍ଧ୍ୟା ୪ଟା ୫୫ ମିନିଟରେ ଘଟିଛି। ଅଧିକାରୀ କହିଛନ୍ତି ଯେ ୫ ଦମକଳ ଗାଡି, ଚାରୋଟି ପାଣି ଟ୍ୟାଙ୍କର ସହିତ ଦମକଳ ବିଭାଗର ପର୍ୟ୍ୟାପ୍ତ ସଂଖ୍ୟାରେ କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ କରାଯାଇଛି। କୋଠାର ଦ୍ଵିତୀୟ ମହଲାରେ ଫଶି ରହିଥିବା ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଅଗ୍ନିକାଣ୍ଡ ଘଟିବାର କାରଣ ଏପର୍ୟ୍ୟନ୍ତ ଜଣା ପଡ଼ିନଥିବା ଅଧିକାରୀ କହିଛନ୍ତି।

By amfnews

Related Post