Wed. Oct 14th, 2026

ମିଳିତ ଭାବେ ୧୨ କୋଟି ଟଙ୍କାର ଓନାମ୍‌ ବମ୍ପର୍‌ ଲଟେରି ଜିଣିଲେ ଛଅଜଣ କେରଳୀ ସାଙ୍ଗ

287 Views

ତିରୁବନନ୍ତପୁରମ୍‌  : ଗୁରୁବାର ଦିନ କେରଳର କୋଲାମ ଜିଲ୍ଲା ଅନ୍ତର୍ଗତ କରୁଣାଗାପ୍ପାଲି ଠାରେ ଥିବା ଗୋଟାଏ ଗହଣା ଦୋକାନର ଛଅ ଜଣ କର୍ମଚାରୀ ମିଳିତ ଭାବେ ରାଜ୍ୟ ପ୍ରାୟୋଜିତ ଓନାମ ବମ୍ପର୍‌ ଲଟେରିର ପ୍ରଥମ ପୁରସ୍କାର ଭାବେ ୧୨ କୋଟି ଟଙ୍କା ଜିଣିଛନ୍ତି।

କୌଣସି ରାଜ୍ୟ ଲଟେରିରେ ଦିଆଯାଉଥିବା ପୁରସ୍କାର ଅର୍ଥ ରାଶି ମଧ୍ୟରେ ଏହା ହେଉଛି ସର୍ବାଧିକ। ମଦ ପରେ ଲଟେରି ହେଉଛି କେରଳ ରାଜ୍ୟର ଦ୍ୱିତୀୟ ରାଜସ୍ୱ ଆୟ। ଛଅ ସାଙ୍ଗ ପରସ୍ପର ଠାରୁ ଟଙ୍କା ଆଦାୟ କରି ଦୁଇଟି ଲଟେରି ଟିକେଟ କିଣିଥିଲେ। ସେଥିରୁ ଗୋଟିଏ ଟିକେଟରେ ସେମାନେ ବିଜୟୀ ହୋଇଛନ୍ତି। ଟିକସ ଏବଂ ଅନ୍ୟାନ୍ୟ ବାବଦରେ ଅର୍ଥ କଟିଯିବା ପରେ ଛଅ ଜଣଯାକ ପ୍ରାୟ ୭. ୫୬ କୋଟି ଟଙ୍କା ପାଇବେ।

୩୨ ବର୍ଷ ବୟସରୁ କମ୍‌ ବୟସ୍କ ଏହି ଗହଣା ଦୋକାନ କର୍ମଚାରୀମାନେ କହିଛନ୍ତି ଯେ ପୁରୁସ୍କାର ଅର୍ଥରୁ ଦାତବ୍ୟ ସଂସ୍ଥାକୁ ମୋଟା ଅଙ୍କ ଦେବେ।
ଅନ୍ୟତମ ବିଜେତା ପି ରାଜୀବ କହନ୍ତି: ଟିକେଟ ଖରିଦ କରିବାକୁ ଆମେ ୬୦୦ ଟଙ୍କା ଆଦାୟ କରିଥିଲୁ। ପୂର୍ବରୁ ମଧ୍ୟ ଆମେ ଟିକେଟ କିଣିଥିଲୁ, କିନ୍ତୁ ଏଥର ପ୍ରଥମ କରି ମେଗା ପୁରସ୍କାର ପାଇଲୁ। କିନ୍ତୁ, ସେମାନେ ଦୋକାନରେ ପୂର୍ବବତ କାମ କରିବେ ବୋଲି କହିଛନ୍ତି। ଏଥର ଛାପା ଯାଇଥିବା ୪୬ ଲକ୍ଷ ଲଟେରି ଟିକେଟ୍‌ରୁ ୪୩ ଲକ୍ଷ ଟିକେଟ୍‌ ବିକ୍ରି ହୋଇଥିବା କଥା ଲଟେରି ବିଭାଗ କହିଛି।

By amfnews

Related Post