Tue. Jul 28th, 2026

ମାର୍ଶଘାଇରେ ଦବିଲା ନିର୍ମାଣାଧୀନ ପାରାଦୀପ-ହରିଦାସପୁର ରେଳ ଲାଇନ୍, ଚାରି ପରିବାର ଆତଙ୍କିତ

259 Views

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶଘାଇ ଥାନା ଅଞ୍ଚଳରେ ନିର୍ମାଣାଧୀନ ପାରାଦୀପ-ହରିଦାସପୁର ରେଳ ଲାଇନ୍ ଦବିବା ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଧୁମୁକା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାର୍ଶାଘାଇ- ଜମ୍ବୁ କେନାଲର ଗୋସେଇଁ ବନ୍ଧଠାରେ ଥିବା ରେଳ ବ୍ରିଜ୍ ନିକଟରେ ନିର୍ମାଣାଧୀନ ରେଳ ଲାଇନ୍ ଦବିଯାଇଛି। ଏହାଫଳରେ ସେଠାରେ ବସବାସ କରୁଥିବା ଚାରିଟି ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। କାରଣ, ସେମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି । ଘରର କାନ୍ଥରେ ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି।
ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ କେନାଲ ବ୍ରିଜ୍ ଗୋସେଇଁ ବନ୍ଧଠାରେ ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଳ ଲାଇନ ଦବିଯାଇଛି । ୪ଟି ଘରର କାନ୍ଥ ଫାଟିଥିବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ନିମ୍ନମାନର କାମ ଯୋଗୁଁ ରେଳ ଲାଇନ୍ ଦବି ଯାଇଥିବା ଅଭିଯୋଗ ହୋଇଛି । ରେଳ ଲାଇନରୁ ଆପ୍ରୋଚ୍ ରୋଡ୍ ଦବି ଯାଇଥିବାରୁ ଏଭଳି ଘଟିଥିବା କୁହାଯାଉଛି। ଏହି ଘଟଣାରେ ଯେଉଁ ଚାରିଟି ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି, ସେମାନଙ୍କର ମୁଖିଆ ହେଲେ ରବୀନ୍ଦ୍ର ଦାସ, ଅରୁଣ ଦାସ, ଭାବଗ୍ରାହୀ ନାୟକ ଏବଂ ବିଜୟ ସ୍ବାଇଁ। ଏହି ଘଟଣା ଜଣାପଡ଼ିବା ପରେ ରେଳବାଇର ଅଧିକାରୀ ଏବଂ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।

By amfnews

Related Post