Sun. Jul 26th, 2026

ମାଛ ପେଟରେ ଧଳା ଜହର! : ବାଲେଶ୍ବରରୁ ବାଂଲାଦେଶ ଲମ୍ବିଛି ଚେର, ସମୁଦ୍ର ଭିତରେ ଚାଲିଛି ବ୍ରା‌ଉନସୁଗାର କାରବାର

406 Views

ବାଲେଶ୍ବର : ବାଲେଶ୍ବର ପାଲଟିଛି ବ୍ରାଉନସୁଗାର କ‌ାରବାରର ପେଣ୍ଠସ୍ଥଳ। କିଛି ବର୍ଷ ହେବ ବାଲେଶ୍ବରରୁ ଗୋଟିଏ ପରେ ଗୋଟିଏ ବ୍ରାଉନ୍‌ସୁଗାର କାରକାର ଘଟଣା ସାମ୍ନାକୁ ଆସୁଛି। ତେବେ ତିନି ଦିନ ତଳେ ଯେଉଁ ପରିମାଣରେ ଏହି ଧଳା ଜହର ଜବତ ହେଲା, ତାହା ସମସ୍ତଙ୍କ ହୋସ୍‌ ଉଡ଼ାଇଦେଇଛି। ଏହି ଘଟଣାରେ ଧରାପଡ଼ିଥିବା ବ୍ୟକ୍ତିମାନେ ମାଛ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ମାଛ ପେଟରେ ଧଳାଜହର ଚାଲାଣ ନେଇ ଚାଲିଥିବା ଅଭିନବ କୌଶଳର ରହସ୍ୟ ଧୀରେ ଧୀରେ ଫିଟୁଛି।

ଗତ ୧୮ ତାରିଖ ଦିନ ବ୍ରାଉନ୍‌ସୁଗାର ଚାଲାଣ ଖବର ପାଇ ବାଲେଶ୍ବର ଅରଡ଼ବଜାର-ଫୁଲାଡ଼ି ରାସ୍ତାର ପଚାଛକ ନିକଟରେ ଓଡି-୦୧-ଡବ୍ଲୁ-୭୯୯୫ ନମ୍ବରର ଏକ କାର୍‌କୁ ପୁଲସ ସଂଦେହରେ ଅଟକାଇଥିଲା। ତେବେ କାର୍‌ରେ ଥିବା ଅରଡ଼ବଜାର ମସ୍‌ଜିଦ ଗଳିର ଶେଖ୍‌ ରାଜୁ (୩୦), ଶେଖ୍‌ ହୁସେନ୍‌ (୨୩), ଶେଖ୍‌ ଜାମସେଦ୍‌ ଅଲ୍ଲୀ (୫୦) ଓ ଜଳେଶ୍ବର ଥାନା ଅଧୀନ ରାଜପୁରା ଅଞ୍ଚଳର ସେଖ୍‌ ମକ୍‌ସଦ (୩୫) ଧରାପଡ଼ିବା ସହ ସେମାନଙ୍କଠାରୁ ଦେଢ଼କେଜି ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଯାହାର ମୂଲ୍ୟ ପାଖାପାଖି କୋଟିଏ ୬୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଥିଲା। ଏହି ବ୍ରାଉନ୍‌ସୁଗାର କାରବାରରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତ ମାଛ କାରବାର କରୁଥିବା ବେଳେ ଏହାକୁ ଆଳ କରି ନିଶା ବେପାର ଚଳାଇଥିବା ସ୍ପ‌ଷ୍ଟ ହେଉଛି। ଏହି କାରବାରର ଚେର ବାଲେଶ୍ବର ମାଛ ମାର୍କେଟ୍‌ରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି।

By amfnews

Related Post