Fri. Apr 24th, 2026

ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ, ୩ ଅଧିକାରୀଙ୍କ ନାମରେ ମାମଲା

256 Views

ଭୁବନେଶ୍ବର: କାର୍ଯ୍ୟସ୍ଥଳରେ ମହିଳା ସହକର୍ମୀଙ୍କୁ ଅସଦାଚରଣ। କେହି ନଥିବା ବେଳେ ଅଫିସ୍‌ ଚାମ୍ବରକୁ ଡାକି ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି ଉପରିସ୍ଥ ଅଧିକାରୀ। କଥା ନ ମାନିଲେ ଚାକିରି ଯିବାର ଧମକ ମିଳିଛି। ଆମ୍ବୁଲାନ୍ସ ସେବା ଯୋଗାଉଥିବା ଏକ ସଂସ୍ଥାର ୩ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାମରେ ଆସିଛି ଏଭଳି ସଙ୍ଗିନ ଅଭିଯୋଗ। ସଂସ୍ଥାର କାର୍ଯ୍ୟାଳୟରେ ଅଭିଯୁକ୍ତ ବରିଷ୍ଠ ଅଧିକାରୀମାନେ ସମ୍ପୃକ୍ତ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମହିଳା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଦଫା ୩୫୪(ଏ), ୨୯୪ ଓ ୩୪ ବଳରେ ଏକ ମାମଲା ରୁଜୁ କରିଛି।

ଅଭିଯୋଗକୁ ୪୮ ଘଣ୍ଟା ପୂରିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତେବେ ୩ ଅଭିଯୁକ୍ତ ଅଧିକାରୀଙ୍କ ମଧ୍ୟରୁ ଦୁଇଜଣ ଅଧିକାରୀଙ୍କୁ ପୁଲିସ ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସେବେଠାରୁ ଅଫିସ୍‌ ଆସୁ ନାହାନ୍ତି। ପୁଲିସ ସେହି ସମୟର ଭିଡିଓ ଫୁଟେଜ୍‌ ମଗାଇଛି। ପ୍ରମାଣ ପାଇବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଅଧିକାରୀମାନେ ହେଉଛନ୍ତି ଦୀପକ ଶ୍ରୀବାସ୍ତବ, ସନ୍ତୋଷ ସାମଲ ଓ ଦେବୀ ପ୍ରସାଦ ପଟ୍ଟନାୟକ। ଅଭିଯୁକ୍ତ ଅଧିକାରୀମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଏ ନେଇ ମହିଳା ଥାନା ଇନ୍‌ସ୍‌ପେକ୍ଟର ବନିତା ମହାରଣା କହିଛନ୍ତି, ଅଭିଯୋଗକୁ ଆଧାର କରି ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି। ଏଯାବତ୍‌ କାହାରିକୁ ଗିରଫ କରାଯାଇନାହିଁ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଚାକିରିରୁ ବାହାର କରିଦେବା ପାଇଁ ଧମକ ମିଳୁଛି। ମାମଲା ରଫାଦଫା କରିବା ପାଇଁ ତାଙ୍କ ପରିବାର ଉପରେ ପ୍ରବଳ ଚାପ ପଡ଼ୁଛି।

By amfnews

Related Post