Thu. Jun 25th, 2026

ମହଙ୍ଗା ପଡ଼ିଲା ମଶା ଜାଲି : ରଶ୍ମିତାଙ୍କ ସହ ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

337 Views

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ନିଜ ସରକାରୀ କ୍ୱାଟର୍ସକୁ ସଜାଇବା ପାଇଁ ୭୦ଲକ୍ଷ ଟଙ୍କାର ସରକାରୀ ଅର୍ଥ ଅପଚୟ କରିଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସହିତ ସୋନପୁର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୧୦ ବ୍ୟାଚ ଆଇଏଏସ୍ ତଥା ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀମତୀ ପଣ୍ଡାଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଏବଂ ନିଯୁକ୍ତି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳ ଥିବା ୨୦୧୨ ବ୍ୟାଚ ଆଇଏଏସ୍ ନିଖିଳ ପବନ କଲ୍ୟାଣଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଗୃହ ବିଭାଗର ଉପସଚିବ ତଥା ୨୦୧୩ ବ୍ୟାଚ୍ ଆଇଏଏସ୍ ମନିଷା ବାନାର୍ଜୀଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେଠାରେ ଆଇଏଏସ ମଧୁସୂଦନ ମିଶ୍ର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଓଏଏସ୍ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏମାନଙ୍କ ବ୍ୟତୀତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସିଇଓ ଥିବା ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ (ସ୍ପେଶାଲ ପ୍ରୋଜେକ୍ଟ) ଭାବେ ବଦଳି କରାଯାଇଛି। ପୂର୍ବରୁ ଆଇଏଏସ୍ ରୂପା ମିଶ୍ର ନିର୍ଦ୍ଦେଶକ(ସ୍ପେଶାଲ ପ୍ରୋଜେକ୍ଟ) ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିଲେ ଓ ଏବେ ସେ କେବଳ ନିର୍ଦ୍ଦେଶକ(ପାନୀୟ ଜଳ ବିଭାଗ) ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି।

By amfnews

Related Post