Fri. Oct 2nd, 2026

ମସ୍କୋ ଗୁଳିକାଣ୍ଡରେ ଜଣେ ରୁଷୀୟ ନିରାପତ୍ତା ଅଧିକାରୀ ନିହତ ଓ ଅନ୍ୟ ପାଞ୍ଚ ଜଣ ଆହତ

179 Views

ମସ୍କୋ: ରୁଷ୍‌ର ସର୍ବୋଚ୍ଚ ନିରାପତ୍ତା ଏଜେନ୍‌ସିର ମସ୍କୋସ୍ଥିତ ମୁଖ୍ୟାଳୟ ବାହାରେ ଗୁରୁବାର ଦିନ ଜଣେ ଅଚିହ୍ନା ବନ୍ଧୁକଧାରୀ ଗୁଳି ଚଳାଇ ଜଣେ ନିରାପତ୍ତା ଅଧିକାରୀଙ୍କୁ ହତ୍ୟା ଓ ଅନ୍ୟ ପାଞ୍ଚ ଜଣଙ୍କୁ ଆହତ କରିଥିବା କଥା ରୁଷୀୟ ସରକାରୀ ଅଧିକାରୀମାନେ କହିଛନ୍ତି।

‘ଫେଡେରାଲ୍‌ ସିକ୍ୟୁରିଟି ସର୍ଭିସ୍‌ ବା ‘ଏଫ୍‌ଏସ୍‌ବି’ କହିଛି ଏକାକୀ ଗୁଳି ଚଳାଉଥିବା ସେ ଆତତାୟୀ ମୁଖ୍ୟାଳୟର ଅଟ୍ଟାଳିକା ମଧ୍ୟକୁ ପ୍ରବେଶ କରିନାହିଁ। ସେ ଆତତାୟୀକୁ ହତ୍ୟା କରାଯାଇଥିବା କଥା ‘ଏଫ୍‌ଏସ୍‌ବି’ କହିଛି।

ଗୁଳିକାଣ୍ଡରେ ସାଙ୍ଗାତିକ ଆହତ ହୋଇଥିବା ପାଞ୍ଚଜଣଙ୍କ ମଧ୍ୟରେ ଦୁଇଜଣ ନିରାପତ୍ତା ଅଧିକାରୀ ଥିବା କଥା ରୁଷ୍‌ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଲୁବିୟାଙ୍କା ଛକ ଠାରେ ଥିବା ‘ଏଫ୍‌ଏସ୍‌ବି’ ମୁଖ୍ୟାଳୟର ଠିକ୍‌ ପଛପଟେ ଥିବା କୋଠା ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ସୋଭିଏତ୍‌ ଯୁଗରେ ‘କେଜିବି’ ନାମରେ ସୁପରିଚିତ ଥିବା ବର୍ତ୍ତମାନର ‘ଏଫ୍‌ଏସ୍‌ବି’ ଏହି ଗୁଳିକାଣ୍ଡ ବିଷୟରେ ଅଧିକ କିଛି ସୂଚନା ଦେଇ ନାହିଁ କି, ଆକ୍ରମଣକାରୀର ଉଦ୍ଦେଶ୍ୟ କଥା ମଧ୍ୟ କହିନାହିଁ।

ମସ୍କୋରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଶଣ କରିବାକୁ ଇସ୍ରାଏଲ୍‌ର ସଙ୍ଗୀତକାର ରବର୍ଟ ଆଞ୍ଚିପୋଲୋଭସ୍କି ଠିକ୍‌ ସେତିକି ବେଳେ ସେହି ବାଟ ଦେଇଯାଉଥିଲେ। ସେ ଏହି ଗୁଳିକାଣ୍ଡର ଭିଡିଓ ଉତ୍ତୋଳନ କରି ପକାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇଥିବା ସେ ଭିଡିଓରେ ଗୁଳି ଫୁଟିବାର ପ୍ରଚଣ୍ଡ ଶବ୍ଦ ଶୁଭୁଛି।

ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି।

By amfnews

Related Post