Fri. May 22nd, 2026

ଭୂତ ପିଲାରେ ଚାଲିଛି ବିଦ୍ୟାଳୟ : ଅଛନ୍ତି ୪, କାଗଜପତ୍ରରେ ୧୪

230 Views

କୋରାପୁଟ : ବର୍ଷ ବର୍ଷ ଧରି ଭୂତ ପିଲାଙ୍କୁ ନେଇ ଚାଲିଛି ବିଦ୍ୟାଳୟ। କାଗଜପତ୍ର ଅନୁଯାୟୀ, ବିଦ୍ୟାଳୟରେ ୧୪ଜଣ ଛାତ୍ରଛାତ୍ରୀ ରହିଥିଲ ବେଳେ ପ୍ରକୃତରେ ଅଛନ୍ତି ମାତ୍ର ୪ଜଣ। ବାକି ସବୁ ଜାଲ ନାମ ଯୋଡି ଦିଆଯାଇଛି ଖାତାରେ। ଏମିତି ସାଘାଂତିକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ। ଏହି ବ୍ଲକର ଗାଦବାଗୁଡା ପ୍ରାଥମିକ ବିଦ୍ୟାଳୟରେ ଏମିତି ଜାଲିଆତି କରାଯାଇଥିଲା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗସ୍ତ ପରେ ଗୁମର ଫିଟିଛି।

ଚଳିତମାସ ୨୦ ତାରିଖ ଦିନ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ନାରାୟଣପାଟଣା ବ୍ଲକର କିଛି ସ୍କୁଲ୍ ପରିଦର୍ଶନ କରିଥିଲେ। ଏହ‌ି ଅବସରରେ ସେ ଗାଦବାଗୁଡା ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେଦିନ ବିଦ୍ୟାଳୟରେ ୧୪ରୁ ୧୨ ଜଣ ଉପସ୍ଥିତ ଥିବା ଦର୍ଶାଯାଇଥିଲା। କିନ୍ତୁ ଏହି ୧୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣ ଛାତ୍ରଛାତ୍ରୀଙ୍କୁ ବାହାରୁ ଅଣାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ପହଂଚିବା ପୂର୍ବରୁ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୫ ଓ ନାରାୟଣପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(ଖ)ରୁ ୩ ଜଣ ଛାତ୍ରଛାତ୍ରୀଙ୍କୁ ଅଟୋ ଭଡା କରି ଗାଦବଗୁଡା ସ୍କୁଲକୁ ଅଣାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେଖାଇବା ପାଇଁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାବେ ବସା ଯାଇଥିଲା। ହେଲେ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ବ୍ଲକ ଶିକ୍ଷାଧିକାରୀ ଏହାର ଟେର ପାଇ ନ ଥିଲେ।

ପୁଣି ସବୁଠାରୁ ଉଦ୍‌ବେଗର ବିଷୟ, ବର୍ତମାନ ସ୍କୁଲରେ ଏହି ଗ୍ରାମର କେବଳ ଦୁଇ ଜଣ ଛାତ୍ରାଛାତ୍ରୀ ହିଁ ପଢୁଛନ୍ତି। ଆଉ ନାରାୟଣପାଟଣାର ଦୁଇଜଣ ଛାତ୍ରଙ୍କ ନାମ ଏହି ବିଦ୍ୟାଳୟରେ ଲେଖାଯାଇଛି। କେବଳ ବିଦ୍ୟାଳୟକୁ ଚଳାଇ ରଖିବା ପାଇଁ ଏପରି ଅନିୟମିତତା କରାଯାଇଥିବା ଜଣାପଡ଼ିଛି। ଏଥିନେଇ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଦ୍ୟାଳୟରେ ଜାଲିଆତି ସଂପର୍କରେ ସେ ଅଭିଯୋଗ ପାଇଛନ୍ତି। ଏହାର ତଦନ୍ତ କରାଯିବ। ଯଦି କିଛି ଜାଲିଆତିର ପ୍ରମାଣ ମିଳିବ ତେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

By amfnews

Related Post