Sun. Apr 26th, 2026

ଭୁଜାଲି ଦେଖାଇ ପେଟ୍ରୋଲ୍ ପମ୍ପର କର୍ମଚାରୀଙ୍କଠାରୁ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଚେକ୍ ଲୁଟି ନେଲେ ଦୁଇ ଲୁଟେରା

181 Views

ପାରାଦୀପ: ଜଗତସିଂହପୁର ଜିଲ୍ଲାର ବନ୍ଦର ନଗରୀ ପାରାଦୀପରେ ଦିନ ଦିପହରରେ ଭୁଜାଲି ଦେଖାଇ ଜଣେ ଲୋକଙ୍କଠାରୁ ଲୁଟ୍ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପଠାରୁ ଅନତି ଦୂରରେ ପିପିଏଲ୍ ଛକରେ ଥିବା ଇଷ୍ଟକୋଷ୍ଟ୍ ପେଟ୍ରୋଲ୍ ପମ୍ପର କର୍ମଚାରୀ ଅକ୍ଷୟ ପାଣି ଆଜି ପ୍ରାୟ ସାଢ଼େ ୧୧ଟା ସମୟରେ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଏକ ଚେକ୍ ଧରି ଯାଉଥିଲେ। ଲଗାତାର ୫ ଦିନ ଧରି ବ୍ୟାଙ୍କ ବନ୍ଦ ଥିବାରୁ ସେ ଆଜି ଏତେ ପରିମାଣର କଲେକସନ୍ ଟଙ୍କା ଧରି ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ସେ ନିଜର ବାଇକରେ ଏହି ଟଙ୍କା ଓ ଚେକ୍ ପାରାଦୀପରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ।

ଅକ୍ଷୟ ପାଣି କିଛି ବାଟ ଯିବା ପରେ କୁମ୍ଭୀର ପାର୍କ ଛକ ପାଖରେ ପହଞ୍ଚିଥିଲେ। ସେଠାରେ ହଠାତ୍ ଦୁଇଜଣ ଯୁବକ ଏକ ବାଇକ୍ ଯୋଗେ ଆସି ତାଙ୍କଠାରୁ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଚେକ୍ ଲୁଟି ନେଇଥିଲେ। ସେ ଚିତ୍କାର କରିବା ବେଳକୁ ଦୁଇ ଲୁଟେରା ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଏହାପରେ ଅକ୍ଷୟ ପାଣି ଏନେଇ ପାରାଦୀପ ଥାନାରେ ଏତଲା ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପାରାଦୀପ ଥାନା ପୁଲିସ୍ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଏଭଳି ନିୟମିତଭାବେ ଅକ୍ଷୟ ପାଣି ପେଟ୍ରୋଲ୍ ପମ୍ପରୁ ଟଙ୍କା ଧରି ପାରାଦୀପରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଜମା କରିବାକୁ ଯାଇଥାନ୍ତି।

By amfnews

Related Post