Sun. Aug 23rd, 2026

ଭାରତୀୟ ସିନେମା ସଂଗ୍ରହାଳୟରେ ଓଡ଼ିଆ ସିନେମାକୁ ଅଣଦେଖା

370 Views

ଭୁବନେଶ୍ବର : ସିନେପ୍ରିୟ ବ୍ୟକ୍ତିବିଶେଷ ଭାରତୀୟ ସିନେମାର କ୍ରମବିକାଶର ଧାରାକୁ ଉପଲବ୍ଧି କରିବେ। ସେତେବେଳର ସାଂସ୍କୃତିକ ଓ ସାମାଜିକ ପୃଷ୍ଠଭୂମିକୁ ପରଖିବେ। ସିନେ ଦୁନିଆର ବ୍ୟକ୍ତିବିଶେଷଙ୍କୁ ଚିହ୍ନିବେ। ଏଇ ଉଦ୍ଦେଶ୍ୟ ନେଇ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ମୁମ୍ବାଇରେ ଖୋଲିଛି ଭାରତୀୟ ସିନେମା ଜାତୀୟ ସଂଗ୍ରହାଳୟ (ନେସ୍‌ନାଲ୍‌ ମ୍ୟୁଜିୟମ ଫର୍‌ ଇଣ୍ଡିଆନ୍‌ ସିନେମା)। ବଡ଼ବଡ଼ ତାରକାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରି ୧୯ ତାରିଖରେ ଏହାକୁ ଲୋକାର୍ପଣ କରିଛନ୍ତି। ଅଥଚ ଏହା ମଧ୍ୟରେ ଗୋଟିଏ ବି ଓଡ଼ିଆ ଚଳଚ୍ଚିତ୍ର ସ୍ଥାନ ପାଇନାହିଁ। ୧୯୧୩ ମସିହାରୁ ଆରମ୍ଭ ହୋଇଥିବା ଭାରତୀୟ ସିନେମା ‘ରାଜା ହରିଶ୍ଚନ୍ଦ୍ର’ରୁ ନେଇ ବହୁ କାଳଜୟୀ ଚଳଚ୍ଚିତ୍ରର ପୋଷ୍ଟର ଏହି ପରିସରରେ ସ୍ଥାନିତ ହୋଇଛି। ଅଥଚ ଜାତୀୟ ସ୍ତରରେ ସମ୍ମାନ, ସ୍ବୀକୃତି ଓ ପ୍ରସିଦ୍ଧି ଲାଭ କରିଥିବା ଏବଂ ଉଚ୍ଚ ପ୍ରଶଂସିତ ହୋଇଥିବା କୌଣସି ଗୋଟିଏ ବି ଓଡ଼ିଆ ଚଳଚ୍ଚିତ୍ରକୁ ସ୍ଥାନିତ କରିବାକୁ ସଂଗ୍ରହାଳୟର ପୃଷ୍ଠପୋଷକମାନେ ଉଚିତ୍‌ ମଣିନାହାନ୍ତି। ଏହା ଓଡ଼ିଆ ସିନେମାକୁ ଅପମାନ ବୋଲି କହିଛନ୍ତି ସନ୍ତୋଷ ଗୌର୍‌।

୧୯୩୬ ମସିହାରେ ସୀତା ବିବାହ ଚଳଚ୍ଚିତ୍ରରୁ ଓଡ଼ିଆ ଚଳଚ୍ଚିତ୍ର ଜନ୍ମ ନେଇଥିବା ବେଳେ ମାଟିର ମଣିଷ, ମାୟା ମିରିଗ ଭଳି ବହୁ କାଳଜୟୀ ଚଳଚ୍ଚିତ୍ର ନିର୍ମିତ ହୋଇଛି। କିନ୍ତୁ କୌଣସି ଚଳଚ୍ଚିତ୍ରର ପୋଷ୍ଟର କିମ୍ବା ସାମାନ୍ୟ ଆଲେଖ୍ୟ ମଧ୍ୟ ମହଜୁଦ ନାହିଁ। ଖାଲି ସେତିକି ନୁହେଁ ସଂଗ୍ରହାଳୟ ପରିସରରେ ଭାରତୀୟ ସିନେ ଜଗତର ବହୁ କାଳଜୟୀ ବ୍ୟକ୍ତିବିଶେଷଙ୍କ ବିଶାଳ ଫଟୋ ସ୍ଥାନ ପାଇଛି। ମାତ୍ର ଓଡ଼ିଆ ସିନେ ଜଗତକୁ ବିଶେଷ ଅବଦାନ ରଖୁଥିବା କାଳଜୟୀ ସିନେ ବ୍ୟକ୍ତିତ୍ବଙ୍କ ଗୋଟିଏ ବି ଫଟୋ ସ୍ଥାନିତ ହୋଇନାହିଁ। ଏପରିକି ଷାଠିଏ ଦଶକରେ ବହୁ କାଳଜୟୀ ସିନେମା ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କ ସମ୍ବନ୍ଧରେ ପଦୁଟିଏ ବି ଉଲ୍ଲେଖ କରାଯାଇ ନାହିଁ। ଇଣ୍ଡିଆନ୍‌ ଟ୍ରାଡିସନ୍‌ ଅଫ୍‌ ଭିଜୁଆଲ୍‌ ଷ୍ଟୋରି ଟେଲିଂ ବିଭାଗରେ ମଧ୍ୟ ଓଡ଼ିଶାକୁ ଅଣଦେଖା କରାଯାଇଛି। ଓଡ଼ିଶାର ପଟ୍ଟଚିତ୍ର ବିଶ୍ବବ୍ୟାପୀ ପ୍ରସିଦ୍ଧି ଅର୍ଜନ କରିଥିଲେ ହେଁ ତାହା ଏହି ପରିସରରେ ନାହିଁ। ପ୍ରସିଦ୍ଧ ‘ରାବଣ ଛାୟା’କୁ ମଧ୍ୟ ସ୍ଥାନିତ କରା ନଯିବା ପରିତାପର ବିଷୟ ବୋଲି ଶ୍ରୀ ଗୌର୍‌ କହିଛନ୍ତି।

ଫିଲ୍ମ ଡିଭିଜନ୍‌ ଅଫ୍‌ ଇଣ୍ଡିଆ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୫ ତାଲା ବିଶିଷ୍ଟ ଏହି ସଂଗ୍ରହାଳୟରେ ବିଭିନ୍ନ ବିଭାଗ ରହିଛି। ମାତ୍ର କୌଣସି ବି ବିଭାଗରେ ଓଡ଼ିଶାର ଛାପ ନାହିଁ।

By amfnews

Related Post