Thu. Jun 11th, 2026

ଭାରତରେ ୭୦୦ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୧୬ ଜୀବନ

187 Views

ନୂଆଦିଲ୍ଲୀ : ସାରା ଦେଶରେ ଲକ୍‌ଡାଉନ୍‌ ସତ୍ତ୍ୱେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ବେସରକାରୀ ଭାବେ ଏହି ସଂଖ୍ୟା ୬୯୫ ଛୁଇଁସାରିଛି। ଅନ୍ୟପକ୍ଷରେ ଶେଷ ଖବର ସୁଦ୍ଧା କରୋନା କାରଣରୁ ମୃତକଙ୍କ ସଂଖ୍ୟା ୧୬ ଛୁଇଁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି। ଏହି ସୂତ୍ର ଅନୁଯାୟୀ, କେବଳ ଗୁରୁବାର ୪୩ ଜଣ ନୂଆ ଆକ୍ରାନ୍ତ ଏବଂ ୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗୋଟିଏ ଦିନରେ ୪ ଜଣଙ୍କ ଜୀବନ ଯିବା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ।

ଏହି ତଥ୍ୟ ଅନୁଯାୟୀ ୬୩୩ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ପଜିଟିଭ୍‌ ରହିଥିବାବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱରେ ୨୧ ହଜାର ଜୀବନ ଯାଇଥିବାବେଳେ କେବଳ ଇଟାଲୀରେ ୭୫୦୦ ଜୀବନ ଗଲାଣି।

ସ୍ଥିତି ଏପରି ବିଗୁଡ଼ୁଥିବା ସମୟରେ ଜି୨୦ ରାଷ୍ଟ୍ର ସମୂହ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଶ୍ୱ ଅର୍ଥନୀତିରେ ଏହି ରାଷ୍ଟ୍ରଗୁଡ଼ିକ ୫ ଟ୍ରିଲିଅନ୍‌ ଡଲାର ଦେବାକୁ ମନସ୍ଥ କରିଛନ୍ତି। ଏହି ଅର୍ଥର କରୋନା ମୁକାବିଲା ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଏବଂ ଡାକ୍ତରୀ ବ୍ୟବସ୍ଥାରେ ଉନ୍ନତି ଆଦି ପଦକ୍ଷେପ ନିଆଯାଇପାରିବ। ଏହା ପୂର୍ବରୁ ସାଉଦି ଆରବ ପକ୍ଷରୁ ଜି୨୦ ରାଷ୍ଟ୍ରଙ୍କୁ ଆହ୍ୱାନ କରିଥିଲେ।

ଏତଦ୍‌ବ୍ୟତୀତ ସିଆରପିଏଫ୍‌ ଯବାନମାନେ ଆଜି ଦିନକର ଦରମା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ଫଣ୍ଡକୁ ଦରନ କରିଛନ୍ତି। ଏହି ବାବଦକୁ ଏକ ୩୩ କୋଟି ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏହି ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ କୁହାଯାଇଛି, ଆମେ ଏଭଳି ଆହ୍ୱାନ ସମୟରେ ଆମ ରାଷ୍ଟ୍ର ସହିତ ଅଛୁ।

By amfnews

Related Post