Wed. May 27th, 2026

ବଡ଼ କେଲୋରେ ବନ୍ୟା ସ୍ଥିତି

267 Views

କନକତୋରା  :   ଲଗାଣ ବର୍ଷା ଫଳରେ ଛତିଶଗଡ଼ ରାଜ୍ୟରୁ ବହି ଆସିଥିବା ବଡ଼ କେଲୋ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀରେ ପାଣି ଉଛୁଳୁଛି। ଏହା ଫଳରେ ଲଖନପୁର ବ୍ଲକ୍‌ର ସୀମାନ୍ତବର୍ତ୍ତୀ ଅଞ୍ଚଳର ବହୁ ଚାଷ ଜମି ଜଳାର୍ଣ୍ଣବ ହୋଇ ଯାଇଛି। ଅନେକ ଚାଷୀ କ୍ଷୟକ୍ଷତି ନେଇ ଆଶଙ୍କା କରିଛନ୍ତି। ବିଭିନ୍ନ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇ ରହିଛି। ବିଶେଷ କରି ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁଁ କେଲୋ ନଦୀର ଲାଖା ଡ୍ୟାମକୁ ପାଣି ପ୍ରବଳ ବେଗରେ ନିର୍ଗତ ହେଉଛି।

ଡ୍ୟାମର ସବୁତକ ଗେଟ୍‌ ଖୋଲା ରଖାଯାଇଥିବା ଜଣାପଡ଼ିଛି। ପ୍ରଖର ସୁଅରେ ନଦୀରେ ପାଣି ପ୍ରବାହିତ ହେଉଛି। ୨ ବର୍ଷ ତଳେ କେଲୋ ନଦୀରେ ଏଭଳି ବନ୍ୟା ସ୍ଥିତି ଦେଖାଯାଇଥିଲା। ନଦୀ ପାର୍ଶ୍ୱରେ ଥିବା କନକତୋରା ନାଏକ ପଡ଼ାକୁ ପାଣି ମାଡ଼ି ଆସିଛି। ପାଣି ଜନବସତିର ମାତ୍ର ୩/୪ ମିଟର ବ୍ୟବଧାନରେ ରହିଛି। ଫଳରେ ପଡ଼ା ବାସୀ ପାଣି ଘେରରେ ରହିଛନ୍ତି। ସାଧାରଣ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବର୍ଷା ଲାଗି ରହିଲେ ଗାଁ ଭିତରକୁ ପାଣି ପଶିବା ନେଇ ଆଶଙ୍କା ଲାଗି ରହିଛି। ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ବ୍ଲକ୍‌ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବିପର୍ଯ୍ୟୟ ନିୟନ୍ତ୍ରଣ ଟିମ ଏହି ସ୍ଥିତି ଉପରେ ସ୍ଥିର ନଜର ରଖିଥିବା ସୂଚନା ମିଳିଛି। ତେବେ, ସଂଧ୍ୟା ସୁଦ୍ଧା ବନ୍ୟା ପାଣି କମି ଯାଉଥିବା ଲକ୍ଷ୍ୟ କରାଯାଇଛି। ସ୍ଥିତି ନିୟନ୍ତ୍ରଣରେ ରହିଛି।

By amfnews

Related Post