Sat. May 16th, 2026

ବଡ଼ଚଣା ରାଜନୀତି: ଅମର ବିଦ୍ରୋହୀଙ୍କ ମେଳି

204 Views

ଯାଜପୁର/ଚଣ୍ଡିଖୋଲ : ବଡ଼ଚଣା ବିଧାୟକ ତଥା ଶାସକ ଦଳ ମୁଖ୍ୟ ସ‌େଚତକ ଅମର ଶତପଥୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ତାଙ୍କର କେତେକ ପୁରୁଣା ସହଯୋଗୀ ଅଣ୍ଟା ଭିଡ଼ିଛନ୍ତି। ଶ୍ରୀ ଶତପଥୀ ତାଙ୍କର ସମସାମୟିକ ଦଳୀୟ କର୍ମୀ ଓ ସଂଗଠକମାନଙ୍କୁ ଗୁରୁତ୍ବ ଦେଉ ନଥିବାରୁ ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ଅସନ୍ତୋଷ ଏବେ ମୁହଁାମୁହିଁ ଅବସ୍ଥାକୁ ଚାଲିଆସିଛି। ଏପରିକି ବଡ଼ଚଣାରେ ଦଳୀୟ କାର୍ଯ୍ୟକ୍ରମକୁ ସମାନ୍ତରାଳ ଭାବେ ପାଳନ କରିବାକୁ ବିଦ୍ରୋହୀମାନେ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଗାନ୍ଧୀ ଜୟନ୍ତୀ ପାଳନ କରିବାକୁ ବିଧାୟକ ଶ୍ରୀ ଶତପଥୀ ରଣନୀତି ପ୍ରସ୍ତୁତ କରିଚାଲିଥିବା ବେଳେ ବ‌ିଦ୍ରୋହୀମାନେ ମଧ୍ୟ ଅନୁରୂପ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ବିଦ୍ରୋହୀମାନେ କଟକଠାରେ ଏକାଠି ହୋଇ ବିଧାୟକ ଶ୍ରୀ ଶତପଥୀଙ୍କ ବିରୋଧରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଛନ୍ତି। ବିଦ୍ରୋହୀମ‌ାନଙ୍କ ଏହି ଗୁପ୍ତ ମନ୍ତ୍ରଣା ବୈଠକରେ ବଡ଼ଚଣା ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଇତିଶ୍ରୀ ସାମଲ, ରାଜ୍ୟ ମହିଳା ବିଜେଡ଼ି ସମ୍ପାଦିକା ମନୋରମା ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲା ପରିଷଦ ରମାକାନ୍ତ ରାଉତ, ପ୍ରାକ୍ତନ ବ୍ଲକ୍ ବିଜେଡି ସଭାପତି ପ୍ରମୋଦ କୁମାର ଜେନାଙ୍କ ସମେତ ୫୦ ରୁ ଅଧିକ ପୁରୁଖା ନେତା ଓ ସଂଗଠକ ସାମିଲ ହୋଇଥିଲେ।

By amfnews

Related Post