Mon. Oct 5th, 2026

ବ୍ରହ୍ମପୁର : ଟଙ୍କା ଆଗରେ ମାନବିକତା ତୁଚ୍ଛ, ଶବକୁ ବି ଛାଡ଼ିଲେନି ଘର ଭିତରକୁ

340 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ମଥୁରା ଗ୍ର‌ାମରେ ଘଟିଛି ଅଭାବନୀୟ ଘଟଣା। ଟଙ୍କା ପାଇଁ କେମିତି ମଣିଷ ମାନବିକତା ବି ଭୁଲିଯାଏ ତାହାର ଉଦାହରଣ ଦେଖିବାକୁ ମିଳିଛି। ଋଣ ଅର୍ଥ ପରିଶୋଧ କରି ନ ଥିବା‌ରୁ ୨ବର୍ଷ ହେଲା ଋଣଗ୍ରସ୍ତଙ୍କ ଘରକୁ ତାଲା ପକାଇ ରଖିଥିଲେ। ଘରୁ ବେଘର ହୋଇ ଅନ୍ୟ ଏକ ଗାଁରେ ଆଶ୍ରୟ ନେଇଥିଲେ ଗୋଟିଏ ପଥର କାରିଗର ପରିବାର। ‌ଶେଷରେ ଗୃହକର୍ତ୍ତା ମଲା ପରେ ତାଙ୍କ ଶବକୁ ଘର ଭିତରକୁ ନ ଛାଡ଼ି ଟଙ୍କା ଦେଲେ ତାଲା ଖୋଲିବେ ବୋଲି ଅଡ଼ି ବସିଥିଲେ। ଅପ୍ରୀତିକର ସ୍ଥିତି ଉପୁଜିବା ପରେ ପୁଲିସ ସହଯୋଗରେ ତାଲା ଖୋଲା ଯାଇଥିଲା। ଶେଷରେ ଶବ ସତ୍କାର ପାଇଁ ଶ୍ମଶାନକୁ ପରିବାର ଲୋକେ ନେଇଥିଲେ।

ମଥୁରା ଗ୍ରାମ ଆଡୁଆସାହିରେ ରହୁଛନ୍ତି ପଥର କାରିଗର ଭୂଷଣ ଦାଶ(୫୫)। ଭୂଷଣଙ୍କ ସ୍ତ୍ରୀ ଗୌରୀ ଦାଶ(ବୁଢୀ) ଗ୍ରାମ ଓ ବାହାର ଲୋକଙ୍କଠାରୁ ପ୍ରାୟ ୬୦ ରୁ ୭୦ହଜାର ଟଙ୍କା ଋଣ ଆଣିଥିଲେ। କିନ୍ତୁ ଉକ୍ତ ଟଙ୍କା ପରିଶୋଧ କରିପାରି ନ ଥିଲେ। ଗତ ୨ବର୍ଷ ତଳେ ବୁଢ଼ିଙ୍କ ନାମରେ ପୋଲସରା ଥାନାରେ ଲିଖିତ ଅଭିଯୋଗ ପରେ ଋଣଦାତାଙ୍କ ସହମତି କ୍ରମେ କେବଳ ମୂଳ ଟଙ୍କା ‌ଦେବାକୁ ସ୍ଥିର ହୋଇଥିଲା। କିନ୍ତୁ କିଛି ଦିନ ପରେ ମୂଳ ଟଙ୍କା ମଧ୍ୟ ଦେଇ ନ ପାରିବାରୁ ଭୂଷଣଙ୍କ ଘରେ ଋଣଦାତାମାନେ ତାଲା ପକାଇ ଦେଇଥିଲେ। ସେ ଭୟରେ ଗାଁ ବାହାରକୁ ଯାଇ ଅନ୍ୟ ଏକ ଗ୍ରାମରେ ରହି କାରିଗର କାମ କରୁଥିଲେ। ହେଲେ ଗତକାଲି ରାତିରେ ଭୂଷଣଙ୍କ ମୃତ୍ୟୁ ଘଟିବା ପରେ ପତ୍ନୀ ବୁଢ଼ି ଶବକୁ ନେଇ ଆଜି ସକାଳେ ଗାଁରେ ପହଞ୍ଚିଥିଲେ। ଋଣ ଦେଇଥିବା ଲୋକମାନେ ଶବକୁ ଘେରି ଯାଇ ଘରକୁ ନେବାକୁ ଛାଡ଼ି ନ ଥ‌ିଲେ। ପୋଲସରା ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ଶୁଦ୍ଧିକ୍ରିୟା ଶେଷ ହେବା ପରେ ଋଣଦାତା ଟଙ୍କା କିପରି ଫେରି ପାଇବେ ସେ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ପୁଲିସ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଲୋକେ ତାଲା ଖୋଲିଥିଲେ। ଏହାପରେ ପଡୋଶୀଙ୍କ ସହଯୋଗରେ ଶବ ସତ୍କାର ପାଇଁ ଶ୍ମଶାନକୁ ନିଆ ଯାଇଥିଲା।

By amfnews

Related Post