Fri. Jun 12th, 2026

ବ୍ରହ୍ମପୁରରେ ଅଣ୍ଡର୍‌ ଗ୍ରାଉଣ୍ଡ୍‌ ଡଷ୍ଟବିନ୍

159 Views

ବ୍ରହ୍ମପୁର , ନଭେମ୍ବର ୦୯: ଏଣିକି ଆଉ ଅଳିଆ ଆବର୍ଜନା ଖୋଲାରେ ପଡ଼ି ଦୁର୍ଗନ୍ଧ ହେବନି। କାହିଁକି ନା ଖୁବ୍‌ଶୀଘ୍ର ଆରମ୍ଭ ଦେଖିବାକୁ ମିଳିବ ସେନ୍‌ସର୍‌ ସିଷ୍ଟମ୍ ଲାଗିଥିବା ଅଣ୍ଡର୍‌ ଗ୍ରାଉଣ୍ଡ୍‌ ଡଷ୍ଟବିନ୍। ଏହି ସ୍ମାର୍ଟ ସିଷ୍ଟମ୍‌ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆରମ୍ଭ ହେବାକୁ ଯାଉଛି। ଫଳରେ ସହରର ଆବର୍ଜନା ମାଟି ତଳେ ହୋଇଥିବା ଡଷ୍ଟବିନ୍‌ରେ ପଡ଼ିବ।  ପ୍ରାୟ ୫ କୋଟି ବ୍ୟୟରେ ଆରମ୍ଭ ହେଉଥିବା ଏହି ପ୍ରକଳ୍ପକୁ ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ।

ଏଥିପାଇଁ ବ୍ରହ୍ମପୁର ସହରର ବିନାୟକ ଆଚାର୍ଯ୍ୟ କଲେଜ, ଗେଷ୍ଟ ହାଉସ୍‌, ଦୁର୍ଗାଦେବୀ ମନ୍ଦିର,ସର୍କିଟ ହାଉସ ଆଦି ୧୭ଟି ସ୍ଥାନରେ ଏହି ସ୍ମାର୍ଟ ଅଣ୍ଡର୍‌ ଗ୍ରାଉଣ୍ଡ୍‌ ଡଷ୍ଟବିନ୍ କରାଯାଇଛି। ଏହାଦ୍ୱାରା ଲୋକମାନେ ମଶା ମାଛି ଦାଉରୁ ରକ୍ଷା ପାଇବା ସହ ଦୁର୍ଗନ୍ଧରୁ ମୁକ୍ତି ପାଇବେ। ତେବେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ରହ୍ମପୁରବାସୀ। କାହିଁକି ନା ପୂର୍ବରୁ ବହୁ ଯୋଜନା ଆରମ୍ଭ ହୋଇଥିଲେ ମଧ୍ୟ ସଠିକ୍ ଭାବେ ଏହା କାର୍ଯ୍ୟକାରୀ ନ ହୋଇ ପଡ଼ି ରହିଛି।

ସହରର ବିଭିନ୍ନ ସ୍ଥାନରୁ ଆବର୍ଜନା ସଂଗ୍ରହ କରାଯାଇ ମାଟି ତଳେ ରଖାଯାଉଛି। ପାଖାପାଖି ୫ ଫୁଟ ଗଭୀର, ୫ ଫୁଟ ଲମ୍ବର ଗାତ ଖୋଳା ଯାଇ ଷ୍ଟିଲ୍‌ ନିର୍ମିତ ଡଷ୍ଟବିନ୍‌କୁ ଖଞ୍ଜା ଯାଇଛି। ଡଷ୍ଟବିନ୍‌ରେ ଅଳିଆ ଭର୍ତ୍ତି ହୋଇଗଲେ ଅଳିଆ ଉଠାଇବାକୁ ନିୟୋଜିତ ଗାଡ଼ିକୁ ସେନ୍‌ସର୍‌ ଦ୍ୱାରା ସୂଚନା ମିଳିବ। ଏହାପରେ ଏକ କ୍ରେନ୍‌ ଡଷ୍ଟବିନ୍‌କୁ ଖାଲି କରିବା ପରେ ତାହାକୁ ଏକ ଗାଡ଼ି ନେଇଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର।

By amfnews

Related Post