Fri. Jul 3rd, 2026

ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର

254 Views

ସମ୍ବଲପୁର  : ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ଗତକାଲି ଅପରାହ୍ନରେ ଏହାର ଜଳସ୍ତର ଥିଲା ୬୨୫.୫୬ ଫୁଟ୍। ପ୍ରତି ସେକେଣ୍ଡରେ ଡ୍ୟାମକୁ ୩ ଲକ୍ଷ ୧୬ ହଜାର ଘନ ଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୨ ହଜାର ଘନଫୁଟ ଜଳ। ବର୍ତ୍ତମାନ ୨୦ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ କରାଯାଉଛି। ପୂର୍ବରୁ ୧୨ଟି ଗେଟ୍ ଓ କାଲି ଆଉ ୮ଟି ଗେଟ୍ ଖୋଲାଯାଇଛି।

ସମ୍ବଲପୁରର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି। ସେହିପରି ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରେଙ୍ଗାଲି ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ଅତିରିକ୍ତ ଜଳ ନିଷ୍କାସନ କରାଯାଉଥିବାରୁ ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ନଈକୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପ୍ରଶାସନ।

By amfnews

Related Post