Fri. Jul 3rd, 2026

ବିଶାଖାପାଟଣା ଗ୍ୟାସ୍ ଲିକ୍ ଘଟଣା: ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଲା

337 Views

ବିଶାଖାପାଟଣା: ଗତ ରାତିରେ ବିଶାଖାପାଟଣା ନିକଟବର୍ତ୍ତୀ ଗୋପାଳପଟନମ୍ ଠାରେ ଏଲ୍‌ଜି ପଲିମର୍ସ କାରଖାନାରୁ ବିଷାକ୍ତ ବାଷ୍ପ ଲିକ୍ ହୋଇ ଦୁଇ ଜଣ ବୟସ୍କ ବ୍ୟକ୍ତି ଏବଂ ଜଣେ ୭ ବର୍ଷୀୟ ବାଳିକା ସମେତ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

କିଙ୍ଗ୍ ଜର୍ଜ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ କହିବା ଅନୁସାରେ, ପାଞ୍ଚଜଣଙ୍କୁ ମୃତାବସ୍ଥାରେ ଅଣାଯାଇଥିଲା। ଭେଙ୍କଟପୁରମ୍ କେନାଲ ମଧ୍ୟକୁ ଖସିପଡ଼ି ଅନ୍ୟ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ୧୮୦ରୁ ଅଧିକ ବ୍ୟକ୍ତିଙ୍କର କିଙ୍ଗ୍ ଜର୍ଜ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ଏହାପୂର୍ବରୁ ମୃତ୍ୟୁସଂଖ୍ୟା ୩ ବୋଲି ରିପୋର୍ଟ ମିଳିଥିଲା। ଏଥିରେ ପ୍ରାୟ ୧୦୦୦ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା କଥା କୁହାଯାଉଛି।

ବିଷାକ୍ତ ବାଷ୍ପ ଲିକ୍ ଯୋଗୁଁ ଗୋପାଳପଟନମ୍‌ ଅଞ୍ଚଳର ୫ଟି ଗାଁରେ ଆତଙ୍କ ଖେଳିଯାଇଛି। ଛାନିଆରେ ଲୋକେ ଘରୁ ବାହାରି ମେଘଡ୍ରିଗେଦ୍ଦା ଆଡ଼କୁ ଧାଇଁ ଯାଇଥିଲେ।

ବିଷାକ୍ତ ବାଷ୍ପ ଲିକ୍‌ ହେବା ପରେ ଶହ ଶହ ଲୋକ ଅଣନିଃଶ୍ବାସୀ ହୋଇପଡ଼ିବା, ଆଖି ପୋଡ଼ିବା ଏବଂ ପେଟ ଟାଣିବା କଥା ଅଭିଯୋଗ କରିଥିଲେ। କାରଖାନା ଚାରିପାଖ ଗାଁମାନଙ୍କରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି।

ବିଷାକ୍ତ ବାଷ୍ପ ନାକରେ ପ୍ରବେଶ ନ କରାଇ ଦେବାକୁ ଲୋକେ ମୁହଁରେ ଓଦା କପଡ଼ା ଢାଙ୍କନ୍ତୁ ବୋଲି ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି।

By amfnews

Related Post