Thu. May 14th, 2026

ବିଶାଖାପାଟଣା କେମିକାଲ୍ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ୩ ମୃତ

164 Views

ବିଶାଖାପାଟଣା: ଗୁରୁବାର ପ୍ରତ୍ୟୁଷରେ ଆନ୍ଧ୍ର‌ପ୍ରଦେଶର ବିଶାଖାପାଟଣାରେ ଥିବା ଏକ ରାସାୟନିକ କାରଖାନାରୁ ଲିକ୍ ହୋଇଥିବା ବିଷାକ୍ତ ବାଷ୍ପ ଆଘ୍ରାଣ କରି ଅନ୍ୟୂନ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୨୦୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି।

ଶହ ଶହ ଗ୍ରାମବାସୀଙ୍କର ମୁଣ୍ଡବଥା, ବାନ୍ତି ଓ ଶ୍ବାସପ୍ରଶ୍ବାସଜନିତ ଅସୁବିଧା ହେବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନିଆଯାଇଛି। ଗୋପାଳପଟ୍ଟନମ୍ ପାଖ ଭେପାଗୁଣ୍ଟାରେ ଥିବା ‘ଏଲ୍‌ଜି ପଲିମରର୍ସ’ କାରଖାନାରୁ ବାଷ୍ପ ନିର୍ଗତ ହୋଇଥିବା କଥା ଗ୍ରେଟର୍‌ ବିଶାଖାପଟ୍ଟନମ୍ ମ୍ୟୁନିସ୍‌ପାଲ୍ କର୍ପୋରେସନ୍ କମିସନର୍ ସୃଜନ ଗୁମ୍ମାଲ୍ଲା କହିଛନ୍ତି। ରାତି ପ୍ରାୟ ୨: ୩୦ ସମୟରେ ସେ କାରଖାନାରୁ ପିଭିସି କିଂବା ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହୋଇଥିଲା।

ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ପ୍ରାୟ ୧୫୦ ରୁ ୧୭୦ ଲୋକଙ୍କୁ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ କେତେକଙ୍କୁ ମଧ୍ୟ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗ୍ୟାସ୍ ଲିକ୍‌ ହୋଇଥିବା ଖବର ମିଳିବା ପରେ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ପ୍ରଶାସନ ଏବଂ ‌ନୌସେନାର କର୍ମଚାରୀମାନଙ୍କୁ କାମରେ ଲଗାଯାଇଥିଲା।

ସୁରକ୍ଷା ଦୃଷ୍ଟିରୁ ସେ ଅଞ୍ଚଳ ଆଖପାଖରେ ବସବାସ କରୁଥିବା ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି।

By amfnews

Related Post