Sat. Sep 12th, 2026

ବିପଦସଂକୁଳ ଅବସ୍ଥାରେ ଓଡଗାଁ ବ୍ଲକ୍‌ ଅନ୍ତର୍ଗତ ନନ୍ଦିଘୋର ଗ୍ରାମ ଲଡୁକେଶ୍ୱର ପ୍ରାଥମିକ ବିଦ୍ୟାଳୟ

202 Views

ଓଡ଼ଗାଁ , ନଭେମ୍ବର ୮: ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ସର୍ବଶିକ୍ଷା ଅଭିଯାନ ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହା ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ କେତେଦୂର ଫଳପ୍ରଦ ହୋଇଛି ସେ ନେଇ ଏବେବି ସନ୍ଦେହ ରହିଛି। ଓଡଗାଁ ବ୍ଲକ୍‌ ଅନ୍ତର୍ଗତ ନନ୍ଦିଘୋର ଗ୍ରାମ ଲଡୁକେଶ୍ୱର ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥାକୁ ଦେଖିଲେ ତାହା ଯେ କେହି ଜାଣିପାରିବ।

ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୮୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ଗୋଟିଏ ଆଜ୍‌ବେଷ୍ଟସ୍ ଛପର ଘର ସହିତ ୩ ବଖରା ଛାତ ଘର ରହିଛି। ତେବେ ମାତ୍ର ଗୋଟିଏ ବଖରା ଶ୍ରେଣୀ ଗୃହ ଭଲ ଥିବାବେଳେ ଅନ୍ୟ ସମସ୍ତ ଗୃହ ବିପଦ ସଂକୁଳ ଅବସ୍ଥାରେ ଅଛି। ଶ୍ରେଣୀଗୃହର ଛାତ କାନ୍ଥ ଫାଟି ଆଁ କଲାଣି। ଛାତରୁ ମଝିରେ ମଝିରେ ସିମେଣ୍ଟ ପ୍ଲାଷ୍ଟର ଖସି ପଡୁଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଛି।

ଫଳରେ ଶ୍ରେଣୀ ଗୃହରେ ବସି ପାଠ ପଢିବା ପାଇଁ କୋମଳମତି ଛାତ୍ରଛାତ୍ରୀମାନେ ନିରାପଦ ମଣୁନାହାନ୍ତି। ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଏହି ବିଦ୍ୟାଳୟ ପ୍ରତି ଶିକ୍ଷାବିଭାଗ କିମ୍ବା ପ୍ରଶାସନର ଦୃଷ୍ଟି ନପଡିବା ସମସ୍ତଙ୍କୁ ବିସ୍ମିତ କରୁଛି। ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବିଦ୍ୟାଳୟର ଅବସ୍ଥା ଯଦି ଏପରି ତେବେ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଅନ୍ୟ ବିଦ୍ୟାଳୟ ପ୍ରତି କେତେ ଧ୍ୟାନ ଦିଆଯାଉଥିବ ତାହା ପ୍ରଶ୍ନବାଚୀ ଘେରରେ ରହିଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

By amfnews

Related Post