Thu. Jul 23rd, 2026

ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ନାବାଳକ ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବକୁ ନିର୍ଦେଶ

244 Views

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଅମଲାପାଲି ଗ୍ରାମରେ ଗତ ୨୦୦୮ ମସିହା ଏପ୍ରିଲ୍ ମାସରେ ୧୧ ବର୍ଷିୟ ନାବାଳକ ମିତ୍ରଭାନୁ ପୋଢ଼ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଘଟଣା ଉପରେ ପରିବାରଙ୍କୁ ୪ ସପ୍ତାହ ମଧ୍ୟରେ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମାନବାଧିକାର କମିସନ୍ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରକାଶ ଯେ ଖଡ଼ିଆଳ ଥାନା ଅନ୍ତର୍ଗତ ଅମଲାପାଲି ଗ୍ରାମର ନରେଶ ପୁଞ୍ଜିର ଉଠାଜଳସେଚନ ପଏଣ୍ଟ୍ ପାଖକୁ ଗାଧୋଇବା ପାଇଁ ଯାଇଥିବା ବେଲେ ବିଦ୍ୟୁତ୍ ତାର ଲାଗି ବାପାଛେଉଣ୍ଡ ମିତ୍ରଭାନୁ ପୋଢ଼ଙ୍କର ମୃତ୍ୟୁ ହୋଇଥିଲା। ଏହା ଉପରେ ନୂଆପଡ଼ା ପୁଲିସ୍ ଅଧୀକ୍ଷକ ବିଭ୍ରାନ୍ତିକର ରିପୋର୍ଟ ପ୍ରଦାନ କରି ଏହା ଏକ ଅଘଟଣ ଘଟିଥିବାରୁ କୌଣସି ଅଧିକାରୀଙ୍କୁ ଦୋଷୀ ବୋଲି ଧରାଯିବ ନାହିଁ ବୋଲି ମାନବଧିକାର କମିସନଙ୍କୁ ଜଣାଇଥିଲେ। ଅନ୍ୟପକ୍ଷରେ ଶକ୍ତି ବିଭାଗ ପକ୍ଷରୁ ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ନ ଥାଇ ବିଦ୍ୟୁତ୍ ବିଭାଗ ଅଧିକାରୀ ବିଦ୍ୟୁତ୍ ସଂଯୋଗ ଦେଇଥିବାରୁ ଏହି ଘଟଣା ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କର ଅବହେଳାରୁ ଘଟିଛି।

ଏପରି ଦୁଇ ପ୍ରକାର ତଥ୍ୟ ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରି ମାନବାଧିକାର କମିସନ୍ ବିଦ୍ୟୁତ ସଞ୍ଚାରଣ ନିୟମ ୧୯୫୬ର ନିୟମ ୨୯,୪୪,୪୫ ଓ ୪୬କୁ ଉଲ୍ଲେଖ କରିବା ସହିତ ସୁପ୍ରିମକୋର୍ଟ ,କେରଳ ହାଇକୋର୍ଟ, ଓଡ଼ିଶା, ମଧ୍ୟପ୍ରଦେଶ ଓ ମାଡ୍ରାସ ହାଇକୋର୍ଟଙ୍କ କେତେକ ମାମଲାର ନିର୍ଦ୍ଦେଶକୁ ଆଧାର କରି ମିତ୍ରଭାନୁ ପୋଢ଼ଙ୍କର ମୃତ୍ୟୁ ପାଇଁ ସରକାର ଦାୟୀ କହିବା ସହ ୪ ସପ୍ତାହ ମଧ୍ୟରେ ପରିବାରଙ୍କୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦିଆଯାଇଛି।

By amfnews

Related Post