Sat. Jul 4th, 2026

ବିଜେପିର ନୂଆ ରଣନୀତି : ୭୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନେତାଙ୍କୁ ମିଳିବନି ଟିକେଟ !

369 Views

ନୂଆଦିଲ୍ଲୀ. 03, Feb. 2019: ଆଗାମୀ ନିର୍ବାଚନ ପାଇଁ ବିଜେପିର ନୂଆ ନିୟମ । ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ବଡ଼ ଘୋଷଣା କରି ଦଳର ବରିଷ୍ଠ ନେତାଙ୍କ ପାଇଁ ଟାଣିଛନ୍ତି ଲକ୍ଷ୍ମଣରେଖା । ବିଜେପି ଚାଣକ୍ୟଙ୍କ କହିବା ମୁତାବକ ଦଳର ୭୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନେତାଙ୍କୁ ନିର୍ବାଚନରେ କୌଣସି ଦାୟିତ୍ୱ ଦିଆଯିବ ନାହିଁ । ଏପରିକି ଆସନ୍ତା ନିର୍ବାଚନ ପାଇଁ ବିଭିନ୍ନ ପୁରୁଖା ନେତାଙ୍କ ସହଯୋଗକୁ ଆବଶ୍ୟକ ମଣି ନାହାନ୍ତି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ।

ସେପଟେ ବିଜେପି ଚାଣକ୍ୟଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ବିଜେପିର ପିତାମହ ବୋଲାଉଥିବା ଲାଲ୍‌କୃଷ୍ଣ ଆଡ଼ଭାନୀ, ମୂରଲୀ ମନୋହର ଯୋଶୀ, ଶାନ୍ତା କୁମାର, କରିଆ ମୁଣ୍ଡା, ଲୀଲାଧର ବାଘେଲା, ପ୍ରଭାତ ସିଂ ଚୌହ୍ବାନ ଭଳି ପୁରୁଖା ନେତାଙ୍କ ରାଜନୈତିକ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନା ମୁତାବକ ୨୦୧୯ ନିର୍ବାଚନୀ ପାଇଁ ବିଜେପି ତାହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି । ଯାହା ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶିତ କରାଯିବ । ଏହି ତାଲିକାରେ କିଛି ଯୁବ ଅଥବା ନିର୍ବାଚିତ ହୋଇଥିବା ନେତାଙ୍କୁ ଟିକେଟ୍ ପ୍ରଦାନ କରାଯିବ । ଯେଉଁମାନେ ୨୦୧୪ ନିର୍ବାଚନରେ ବିଜେପି ପାଇଁ ବିଜୟର ସୂତ୍ରଧାର ପାଲଟିଥିଲେ ସେମାନଙ୍କୁ ହିଁ ଅଧିକ ପ୍ରାଧାନ୍ୟ ଦେବ ପାର୍ଟି ବୋଲି ଜଣାପଡ଼ିଛି ଏବଂ ଯେଉଁମାନେ ଦଳ ପାଇଁ ବିଶ୍ୱାସଭାଜନ ହୋଇ ଆଗାମୀ ନିର୍ବାଚନରେ ବିଜୟୀ ହେବାର ବିଶ୍ୱାସ ଦେବେ ସେମାନଙ୍କୁ ହିଁ ଟିକେଟ୍ ମିଳିବ ବୋଲି ସୂଚନା ମିଳିଛି ।

By amfnews

Related Post